ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜି ଅପରାହ୍ନରେ ସ୍ଥାନୀୟ ବୁଦ୍ଧମନ୍ଦିର ସଭାକକ୍ଷରେ ‘ସତ୍ୟଚେତନା- ସମୟର ଆହ୍ୱାନ’ ଶୀର୍ଷକ ଏକ ମାନସ-ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସତ୍ୟଚେତନା ଟ୍ରଷ୍ଟ’ର ପ୍ରତିଷ୍ଠାତା ସ୍ୱାମୀ ଶ୍ରୀଆତ୍ମାନନ୍ଦ ଏଥିରେ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ଆନ୍ଦୋଳନର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ବ୍ୟାଖ୍ୟା କରିଥିଲେ । ସ୍ୱତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିବା ବ୍ୟକ୍ତିବିଶେଷ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ମନରେ ଉଠୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ସ୍ୱାମିଜୀ ଦେଇଥିଲେ । ଅନୁଷ୍ଠାନର ଓଡ଼ିଶା ପ୍ରମୁଖ ଶିଶିର ଦାସ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବାବେଳେ ଆବାହକ ଅସିତ ମହାନ୍ତି ସ୍ୱାମିଜୀଙ୍କ ସମ୍ପର୍କରେ ସମ୍ୟକ୍ ପରିଚୟ ଦେଇଥିଲେ । ‘ସତ୍ୟଚେତନା’ ପତ୍ରିକାର ସମ୍ପାଦକ ଗୋକୁଳାନନ୍ଦ ପରିଡ଼ା ଏହି ପତ୍ରିକା କିପରି ଦୀର୍ଘ ୨୩ ବର୍ଷ ଧରି ଆଧ୍ୟାତ୍ମିକ ଚେତନାର ମୁଖପତ୍ର ହୋଇ ଆସିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଆନ୍ଦୋଳନ ସମ୍ପର୍କରେ ସୂଚିତ କରି ସ୍ୱାମିଜୀ କହିଥିଲେ- ଆମ ଓଡ଼ିଶାରୁ ହିଁ ଏହି ଆଧ୍ୟାତ୍ମିକ ଆନ୍ଦୋଳନର ଅୟମାରମ୍ଭ ହେଉଛି । ଯେଉଁ ଚେତନା ପ୍ରତି ମୁହୂର୍ତ୍ତରେ ଆମକୁ ଆତ୍ମାର ନିକଟବର୍ତ୍ତୀ କରାଏ, ତାହା ହେଉଛି ଆଧ୍ୟାତ୍ମିକ ଚେତନା । ଏହି ଦୃଷ୍ଟିରୁ ଏହାକୁ ଆମେ ଏକ ‘ଆଧ୍ୟାତ୍ମିକ ଆନ୍ଦୋଳନ’ ବୋଲି କହୁଛୁ । ଅନ୍ୟ ସବୁ ଆନ୍ଦୋଳନଠାରୁ ଏହି ଆନ୍ଦୋଳନର ଏକ ମୌଳିକ ପାର୍ଥକ୍ୟ ରହିଛି । ରାଜନୈତିକ ଆନ୍ଦୋଳନ, ଅର୍ଥନୈତିକ ଆନ୍ଦୋଳନ, ସାମାଜିକ ଆନ୍ଦୋଳନ ବା ଧର୍ମୀୟ ଆନ୍ଦୋଳନ- ଏସବୁ ମଣିଷର ମନକୁ ଲକ୍ଷ୍ୟକରି କରାଯାଇଥାଏ । ଏସବୁରେ ମଣିଷର ମନକୁ ପରିବର୍ତ୍ତନ କରି ନିର୍ଦ୍ଦିଷ୍ଟ ଦିଗରେ ନେବାପାଇଁ ଚେଷ୍ଟା କରାଯାଏ । କିନ୍ତୁ ଏହି ‘ସତ୍ୟଚେତନା ଆନ୍ଦୋଳନ’ ମଣିଷର ଆତ୍ମାର ଆନ୍ଦୋଳନ । ମଣିଷ ଭିତରେ ଯେଉଁ ଆତ୍ମସତ୍ତା ରହିଛି, ତାହାର ଜାଗରଣ ହେଉଛି ଏହି ଆନ୍ଦୋଳନର ମୂଳ ଲକ୍ଷ୍ୟ । ପ୍ରତ୍ୟେକ ବ୍ୟକ୍ତି ଯେପରି ଜୀବନର ସର୍ବୋତ୍ତମ ଲକ୍ଷ୍ୟ ବୁଝିପାରିବେ ଏବଂ ସେହି ଅବସ୍ଥାରେ ପହଞ୍ôଚପାରିବେ, ତାହା ଉପରେ ଏହି ଆନ୍ଦୋଳନ ଗୁରୁତ୍ୱ ଦେବ । ପ୍ରତ୍ୟେକ ବ୍ୟକ୍ତି ଭିତରେ ଆତ୍ମାପୁରୁଷଙ୍କୁ ଜାଗ୍ରତ କରାଇ ତାଙ୍କୁ ପରମାତ୍ମାଙ୍କର ଦିବ୍ୟ ସହକର୍ମୀ କରାଇବାର ଲକ୍ଷ୍ୟ ନେଇ ଏହା କାର୍ଯ୍ୟ କରିବ । ଏହି ଜାଗ୍ରତ ଆତ୍ମାମାନେ ହେବେ ଏକ ଦିବ୍ୟକର୍ମର ସହଯୋଗୀ ଏବଂ ସମାଜରେ ପରିବର୍ତ୍ତନର ସୂତ୍ରଧର । ଏହାହିଁ ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ବୋଲି ଆମେ ଅନୁଭବ କରୁଛୁ ।
ସେ ଆହୁରି ମଧ୍ୟ କହିଲେ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ, ଯେ ଏହା କିପରି ଭାବରେ ସମ୍ଭବ ହେବ? ଏହାର ଉତ୍ତର ‘ଗୀତା’ରେ ଅଛି । ସେଥିରେ କୁହାଯାଇଛି, ଆତ୍ମାରେ ଭିନ୍ନାଭିନ୍ନ ନାହିଁ । ଏଣୁ ଜଣେ ବ୍ୟକ୍ତି ନିଜ ଭିତରେ ଥିବା ଆତ୍ମାର ଉପଲବ୍ଧି କରିବା ଅର୍ଥ, ସବୁ ମଣିଷଙ୍କ ଭିତରେ ଥିବା ଆତ୍ମାକୁ ଉପଲବ୍ଧି କରିବା । ଯେପରି ଗୋଟିଏ ମାତ୍ର ସୂର୍ଯ୍ୟ ସମଗ୍ର ବିଶ୍ୱକୁ ଆଲୋକିତ କରିଥାନ୍ତି, ସେମିତି ଗୋଟିଏ ଆତ୍ମା ନିଜକୁ ପୂର୍ଣ୍ଣ ଭାବରେ ଭଗବାନଙ୍କର ଅଭିବ୍ୟକ୍ତି ନିମନ୍ତେ ଉତ୍ସର୍ଗ କରିଦେଲେ, ସେହି ଗୋଟିଏ ଆଧାର ଦେଇ ଏତେ ଶକ୍ତି ସଞ୍ଚାରିତ ହେବ ଯେ ଅଗଣିତ ମଣିଷଙ୍କ ଭିତରେ ଜାଗରଣ ଆସିଯିବ । ଏ ଦିଗରେ ନିଜ ନିଜ କ୍ଷେତ୍ରରେ ସମସ୍ତେ ସହଯୋଗ କରି ଓଡ଼ିଶାରେ ତଥା ଭାରତବର୍ଷରେ ପରିବର୍ତ୍ତନର ସୂତ୍ରଧର ହେବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଆନ୍ଦୋଳନକୁ ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ବ୍ଲକ୍ ସ୍ତରକୁ ସମ୍ପ୍ରସାରିତ କରାଯିବ ବୋଲି ସେ ସୂଚନା ଦେଇଥିଲେ ।
ଏହି ଅବସରରେ ଡକ୍ଟର ହରିହର କାନୁନ୍ଗୋ ସ୍ୱସମ୍ପାଦିତ ପୁସ୍ତକ ‘ବିବର୍ତ୍ତନରେ ଓଡ଼ିଆ ଭାଷା’ ସ୍ୱାମୀଜୀଙ୍କୁ ଉପହାର ଦେଇଥିଲେ । ପରିଶେଷରେ ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।