ଭୁବନେଶ୍ୱର, (ରିପୋଟର୍ସ ପେନ୍): ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୨ର ବିଚାରପତି ଶ୍ରୀମତି ପ୍ରିୟଦର୍ଶିନୀ ତ୍ରିପାଠୀ, ଚଳିତ ବର୍ଷ ୨୦୨୪ ମସିହା ଜାନୁୟାରୀ ମାସରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ହୋଇଥିବା ଏକ ଲୁଟ ମାମଲାରେ ଆସାମୀ ପ୍ରକାଶ ବିଶୋୟୀ ଓରଫ ପାକକୁ ସଜା ଶୁଣାଇଛନ୍ତି ।
ଘଟଣାର ଅନ୍ତରାଳେ: ଅଭିଯୋଗକାରୀ ପ୍ରଦୀପ୍ତ କୁମାର ପରିଜା ଗତ ତା.୧୭. ୦୧. ୨୦୨୪ ରିଖ ଅପରାହ୍ନ ୩ଟା ସମୟରେ ନିଜ ପୁତୁରାଙ୍କ ସହିତ ପାଣ୍ଡରା ଛକ ନିକଟରେ ଛିଡା ହୋଇଥିବା ବେଳେ, ଅଭିଯୁକ୍ତ ପ୍ରକାଶ ତାଙ୍କର ଜଣେ ସହଯୋଗୀଙ୍କ ସହ ମିଶି ଉଭୟଙ୍କୁ ଏକ ଛୁରି ଦେଖାଇ ଭୟଭୀତ କରିବା ସହିତ ଅଭିଯୋଗକାରୀଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ ୭,୫୦୦ ଟଙ୍କା ଜୋରଜବରଦସ୍ତ ଛଡାଇ ନେଇ ଘଟଣା ସ୍ଥଳରୁ ଦୌଡି ପଳାଇ ଯାଇଥିଲେ । ଅଭିଯୋଗକାରୀ ଏନେଇ ମଞ୍ଚେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକାରୀ ପ୍ରଦୀପ୍ତ କୁମାର ପାରିଜାଙ୍କ ଅଭିଯୋଗକୁ ଭିତ୍ତି କରି ମଞ୍ଚେଶ୍ୱର ଥାନା କେସ ନଂ.-୨୨/୨୦୨୪, ଦଫା- ୩୯୨ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହି ମାମଲାର ପ୍ରାଥମିକ ତଦନ୍ତ ଦାଇତ୍ୱ ଏସଆଇ ଶ୍ରୀ କାହ୍ନୁ ଚରଣ ବାରିକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ, ପରେ ଏସଆଇ ଶୁଭେନ୍ଦୁ କୁମାର ଗିରି ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲେ । ତଦନ୍ତକାରୀ ଅଫିସର ଶ୍ରୀ ଗିରି ଉପରୋକ୍ତ ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଲୁଟ ମାମଲାର ଅଭିଯୁକ୍ତ ପ୍ରକାଶ ବିଶୋୟୀ ଓରଫ ପାକକୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କ ବିରୋଧରେ ମାନ୍ୟବର ଅଦାଲତରେ ଚାର୍ଜ ସିଟ ଦାଖଲ କରିଥିଲେ ।
ଉପରୋକ୍ତ ଲୁଟ ମାମଲାର ବିଚାର କରି ମାନ୍ୟବର ଅଦାଲତ ୦୬ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ୧୨ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ପ୍ରକାଶ ବିଶୋୟୀ ଓରଫ ପାକକୁ ଦଫା-୩୯୨ ଅନୁଯାଇ ୨ ବର୍ଷ ସଶ୍ରମ କାରାଦଣ୍ଡର ସଜା ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ସୟଦ ମହମ୍ମଦ ଅନୱାର ଓ ଶ୍ରୀ ସମରେନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୬୧ ଟି ମାମଲାରେ ଦୋଷୀଙ୍କୁ ସଜା ହୋଇସାରିଛି ।