Unit-1 Marcket: ୟୁନିଟ-୧ ହାଟ ବ୍ୟବସାୟୀ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Reporterspen

Unit-1 Marcket ଭୁବନେଶ୍ୱର (ରିପୋଟର୍ସ ପେନ୍‌): ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ଏକ ନମ୍ବର ହାଟ ସଂଘ)ର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାପତି ସମେତ ସମସ୍ତ ୯ଜଣ ସଦସ୍ୟ ଗଣେଷ ମନ୍ଦିର ପରିସରରେ ଆୟୋଜିତ ସଭାରେ ନିଜର କର୍ତ୍ତବ୍ୟ ଓ ନିଷ୍ଠା ନେଇ ଶପଥପାଠ କରିଥିଲେ । ସଂଘର ଉପଦେଷ୍ଠା ତଥା ରାଜଧାନୀ କଞ୍ଚା ପରିବା ମହାସଂଘର ସଭାପତି କବିରାଜ ସ୍ୱାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ପରେ ହୃଷିକେଶ ଓଝାଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ବ୍ୟବସାୟୀଙ୍କ ଗହଣରେ ସଂଘର ସମସ୍ତ କର୍ମକର୍ତ୍ତାମାନେ ହାଟ ପରିକ୍ରମା କରିଥିଲେ ।

ସଂଘର ସଭାପତି ଭାବେ ରଘୁନାଥ ବେହେରା, କାର୍ଯ୍ୟକାରୀ ସଭାପତି କୈଳାଶ ପୁହାଣ, ଉପ-ସଭାପତି ଉଗ୍ରସେନ ବରାଳ, ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, କାର୍ଯ୍ୟକାରୀ ସମ୍ପାଦକ ବିଜୟ କୁମାର ସ୍ୱାଇଁ, ସହ-ସମ୍ପାଦକ ନୀଳାଚଳ ସାହୁ, ଯୁଗ୍ମ-ସମ୍ପାଦକ ତପନ କୁମାର ପ୍ରଧାନ, ମୁଖ୍ୟ କୋଷାଧ୍ୟକ୍ଷ ରାଘବ ଜେନା ଓ ସହ-କୋଷାଧ୍ୟକ୍ଷ ଭାବେ ଶାନ୍ତନୁ ପାତ୍ର ଶପଥ ଗ୍ରହଣ କରିଥିଲେ ।

ଏଥିସହିତ ସଂଘର ମୁଖ୍ୟ ଉପଦେଷ୍ଠା ଭାବେ ଏନ.ଏମ ରାଓ, ଉପଦେଷ୍ଠା ରବିନ୍ଦ୍ର ସାହୁ, ଆଇନ ପରାମର୍ଶଦାତା କ୍ଷେତ୍ରମୋହନ ସାମନ୍ତରୟଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଉପଦେଷ୍ଠା ମଣ୍ଡଳୀରେ ସୁକାନ୍ତ ରାଉତରାୟ, ଅଯୋଧ୍ୟା ରାଉତରାୟ, ରାମଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ଓ କବିରାଜ ସ୍ୱାଇଁ ରହିଛି ।

ଉଲ୍ଲେଖଥାଉ କି, ୨୦୦୫ ମସିହାରୁ ରାଜଧାନୀର ସର୍ବପୁରାତନ ଏକନମ୍ବର ହାଟ ବ୍ୟବସାୟ ସଂଘ ଗୟାଧର ସ୍ୱାଇଁଙ୍କ ଦଖଲରେ ରହିଥିଲା । ତେବେ ଗତକିଛି ତଳେ ହାଟର ପିଣ୍ଡି ବିକ୍ରି ଘଟଣାର ଷ୍ଟିଙ୍ଗ ଅପରେସନରେ ଗୟାଧର ଧରାପଡିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ବିଏମସି ଘଟଣାରେ ହସ୍ତକ୍ଷେପ କରି ତାଙ୍କ କବ୍ଚାରେ ଥିବା ଗଣେଷ ମନ୍ଦିରକୁ ଦଖଲକୁ ନେଇଯାଇଥିଲା । ସେହିଦିନ ଠାରୁ ଗୟାଧର ଆଉ ସକ୍ର୍ରିୟ ହୋଇ ହାଟର ଉନ୍ନତି କାମ କରୁନଥିଲେ ।

ହାଟର ସମସ୍ୟା ବଢିବା ସହ ଗୟାଧରଙ୍କ କାର୍ଯ୍ୟରେ ଅବହେଳାରେ ବ୍ୟବସାୟୀମାନେ ଅତିଷ୍ଠ ହୋଇପଡିଥିଲେ । ପରେ ବ୍ୟବସାୟୀମାନଙ୍କ ନିଷ୍ପତ୍ତି ଅନୁସାରେ ଗତ ଶୁକ୍ରବାର ଦିନ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକକୁ ରାଜଧାନୀ କଞ୍ଚ ପରିବା ବ୍ୟବସାୟୀ ସଂଘର ସଭାପତି ତଥା ଏକ ନମ୍ବର ହାଟର ପୂର୍ବତନ ସମ୍ପାଦକ କବିରାଜ ସ୍ୱାଇଁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବୈଠକରେ ସର୍ବସମ୍ମତି କ୍ରମେ ଗୟାଧର ଓ ତାଙ୍କ ଟିମକୁ ତୁରନ୍ତ ଇସ୍ତଫା ଦେବାକୁ କୁହାଯାଇଥିଲା । ମାତ୍ର ସେମାନେ ଇସ୍ତଫା ନଦେବାରୁ ସାଧାରଣ ପରିଷଦର ସଦସ୍ୟମାନେ ତାଙ୍କୁ ବହିଷ୍କାର କରିଥିଲେ ।

ଏହା ପରେ ତୁରନ୍ତ ନିର୍ବାଚନ କରାଯାଇ ନୂତନ କର୍ମକର୍ତ୍ତର ଚୟନ କରାଯାଇଥିଲା । ଏହି ନୂଆଟିମ ଆସନ୍ତା ଆଜି (ରବିବାର) ଠାରୁ କାର୍ଯ୍ୟଭାର ସମ୍ଭାଳିବେ । ନୂଆ ଟିମ ଦାୟିତ୍ୱ ନେବା ପରେ ହାଟରେ ଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କବିରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ତେବେ ଦୀର୍ଘ ୧୯ ବର୍ଷ ପରେ ଏକ ନମ୍ବର ହାଟ କବିରାଜଙ୍କ କବ୍ଚାକୁ ଆସିବା ପରେ ବ୍ୟବସାୟୀମାନେ ଖୁସି ପ୍ରକଟ କରିଛନ୍ତି ।


Reporterspen