ଭୁବନେଶ୍ୱର, (ରିପୋଟର୍ସ ପେନ୍): ରତ୍ନଭଣ୍ଡାରରୁ ଯୁଦ୍ଧ ସାମଗ୍ରୀ ମିଳିଛି। ଏହି ସାମଗ୍ରୀ ରାଜରାଜୁଡ଼ା ଅମଳର ବୋଲି ଜଣାପଡ଼ିଛି। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଅସ୍ପଷ୍ଟ ରହିଛି। ସାମଗ୍ରୀ କଳା ପଡ଼ିଯାଇଥିବାରୁ ଏହା କେଉଁ ଧାତୁରେ ତାହା ସ୍ପଷ୍ଟ ହୋଇପାରିନାହିଁ।
ସୂଚନାଯୋଗ୍ୟ, ଗୁରୁବାର ଜଷ୍ଟିସ ରଥ ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ। ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ। କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିନଥିଲା।
ବିଶ୍ୱନାଥ ରଥ ଆହୁରି କହିଥିଲେ, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁନି। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ । ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା। ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଛି।
ଏଥିସହ ଜଷ୍ଟିସ ରଥ କହିଥିଲେ, ରତ୍ନଭଣ୍ଡାରରେ କଣ ଅଛି କାହାକୁ କୁହାଯିବ ନାହିଁ। ଆପଣଙ୍କ ଘରେ କ’ଣ ଅଳଙ୍କାର ଅଛି, ଆପଣ କାହାକୁ କହିନଥାନ୍ତି। ସେମିତି ମହାପ୍ରଭୁଙ୍କର କ’ଣ ଅଳଙ୍କାର ଅଛି, ତାକୁ ପ୍ରକାଶ କରିବୁ ନାହିଁ। ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ। ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ।
ଏପଟେ ବାହାରକୁ ବାହାରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ,ସମସ୍ତଙ୍କ ପାଇଁ ଖୁସି ଖବର । ସୁରୁଖୁରୁରେ ଭିତର ଭଣ୍ଡାର ଅଳଙ୍କାରର ସ୍ଥାନାନ୍ତର ସମ୍ପନ୍ନ ହୋଇଥିଲା।