Weather News: ବଦଳିବ ପାଗ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ

Reporterspen

Weather News:  ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଡିସେମ୍ୱର ୧୭ (ମଙ୍ଗଳବାର)ରୁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି। ସେହିଭଳି ଡିସେମ୍ୱର ୧୮ ବୁଧବାର ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ସକ୍ରିୟ ଥିବା କାରଣରୁ ପାଣିପାଗରେ ପରିବର୍ତ୍ତନ ହୋଇଛି ।

ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ସହ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ ଆମ ରାଜ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ ତଥାବି କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ପ୍ରକୋପ ବଢିଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ଅଧିକ ଅନୁଭୂତ ହେବ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ୧୭ ତାରିଖରୁ ରାଜ୍ୟ କିଛି ଜିଲ୍ଲାରେ ମେଘୁଆ ପାଗ ରହିବ ।

୧୭ ତାରିଖରେ ରାଜ୍ୟର ୨ଟି  ଜିଲ୍ଲା ଗଜପତି ଓ ଗଂଜାମରେ ବର୍ଷା ହେବାର ସମ୍ଭାବନା ଅଛି । ଦୁଇ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ୧୮ ତାରିଖ ଓ ୧୯ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଡିସେମ୍ବର ୧୯ ଗୁରବାର ଦିନ ଗଜପତି ସହ ଗଂଜାମ ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଡିସେମ୍ୱର ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।


Reporterspen