Weather Updates: ଜଳୁଛି ପଶ୍ଚିମ ଓଡ଼ିଶା, ବୌଦ୍ଧରେ ୪୨ ଡିଗ୍ରୀ ପାର

Reporterspen

Weather Updates: ଭୁବନେଶ୍ୱର: ରାଜ୍ୟରେ ୪୩ ଡିଗ୍ରୀ ଡେଇଛି ପାରଦ। ରବିବାର ସମଗ୍ର ଦେଶରେ ବୌଦ୍ଧ ଜିଲ୍ଲା ଥିଲା ସବୁଠାରୁ ଉତ୍ତପ୍ତ ଜିଲ୍ଲା। କେବଳ ବୌଦ୍ଧ ନୁହେଁ, ଝାରସୁଗୁଡା, ବଲାଙ୍ଗୀର, ଅନୁଗୋଳରେ ମଧ୍ୟ ନିଆଁ ବର୍ଷିଛି। ସମ୍ବଲପୁର ଓ ଝାରସୁଗୁଡାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀର ଓ ଅନୁଗୋଳରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଏବେ ନିଆଁ ବର୍ଷିବାରେ ଲାଗିଛି। ୧୯ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ରେକର୍ଡ କରିଚାଲିଛି ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଛି ଗ୍ରୀଷ୍ମ ପ୍ରବାହ । କିଛିଦିନ ହେଲା ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଛି। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହୁଛି ପାରଦ । ଆଜି ସୋମବାର ବି ପଶ୍ଚିମ ଓଡିଶାରେ ପାରଦ ଉପର ମୁହାଁ ରହିବ। ବିଶେଷ କରି ଝାରସୁଗୁଡା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦେଖି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିକୁ ୨ ଦିନ ଲାଗି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲା ପାଇଁ ବି ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ବାୟୁ ଚଳାଚଳ କରୁଛି । ତା’ସହ ଆକାଶ ମେଘମୁକ୍ତ ଥିବାରୁ ସୂର୍ଯ୍ୟଙ୍କ କିରଣ ପ୍ରଖର ରହୁଛି । ଫଳରେ ଅଧାରୁ ଅଧିକ ଓଡ଼ିଶା ଗରମରେ ସନ୍ତୁଳି ହେଉଛି ।

ସେପଟେ ଆଜି ପଶ୍ଚିମ ଓଡିଶାରେ ପାରଦ ଉପରମୁହାଁ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଦଷ ଅନୁଗୋଳ, ସମ୍ବଲପୁର, ଝାରସୁଗୁଡା ଆଦି ସ୍ଥାନରେ ପାରଦ ୪୨ ଡେଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଭବାନୀପାଟଣା, ସୁନ୍ଦରଗଡ଼, ରାଉରକେଲା, କେନ୍ଦୁଝର, ବାରିପଦା, ଢେଙ୍କାନାଳ ଆଦି ସ୍ଥାନରେ ପାରଦ ୪୦ ଡେଇଁବ ବୋଲି ବିଭାଗ କହିଛି। ସେହିପରି ଉପକୂଳରେ ମଧ୍ୟ ନିସ୍ତାର ମିଳିବନି। ସାମୁଦ୍ରିକ ଉପକୂଳ ସହର ଗୋପାଳପୁର, ପୁରୀ ଓ ପାରାଦୀପକୁ ଛାଡିଦେଲେ ଉପକୂଳ ଜିଲ୍ଲାରେ ମଧ୍ୟ ଗରମ ଅନୁଭୂତ ହେବ। ଭୁବନେଶ୍ୱର ଓ କଟକ ପାରଦ ୪୦ ପାଖାପାଖି ପହଞ୍ଚିବ ବୋଲି ବିଭାଗ ପୂର୍ବାନୁମାନ କରିଛି।


Reporterspen
!-- afp header code starts here -->