ଜାତୀୟ ପତାକାର ନାଁ ତ୍ରିରଙ୍ଗା କାହିଁକି?

Reporterspen

ଭାରତର ଜାତୀୟ ପତାକା ସଂପୂର୍ଣ୍ଣ ଭାରତ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏକ ପତାକା ଅଟେ । ଏହା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ପତାକାଟି ଏକ ନିର୍ଦ୍ଧିଷ୍ଟ ଶୈଳୀରେ ନିର୍ମିତ ହୋଇଛି, ଯାହାର ପ୍ରତିଟି ଅଂଶର ନିର୍ଦ୍ଧିଷ୍ଟ ଅର୍ଥ ରହିଛି ।

ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା । ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କ ଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା । ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ରେ କଲିକତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ ।

ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । ୧୯୦୬ ପତାକାଠାରୁ ଏହା ଦେଖିବାକୁ ଟିକେ ଭିନ୍ନ ଥିଲା । ଏହି ପତାକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା । ଡ. ଆନିବେଶାନ୍ତଙ୍କ \”ହୋମ ରୁଲ୍‌\’ ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା ।

୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା ।

ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି ।

ଏହି ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରହିଛି । ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ ଅଖ ଥିବା ଅଶୋକ ଚକ୍ର ମଧ୍ୟ ରହିଛି । ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇ ଥାଏ । ସେହିରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରେ । ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଇ ଥାଏ । ପତାକାର ମଝିରେ ଶୋଭା ପାଉଥିବା ଅଶୋକ ଚକ୍ର ବା ଧର୍ମ ଚକ୍ର ଦେଶ ପ୍ରଗତିର ପ୍ରତୀକ । ଏଥିରୁ ନାଗରିକଙ୍କୁ ଦେଶ ଭକ୍ତିର ପ୍ରେରଣା ମିଳିଥାଏ । ମୌର୍ଯ୍ୟ ସମ୍ରାଟ ଅଶୋକ ସାରନାଥଠାରେ ଏକ ସିଂହ ସହ ଏହି ଚକ୍ରର ନିର୍ମାଣ କରିଥିଲେ ।ଏହାର ସବୁ ରଙ୍ଗ ମହାନତାର ପ୍ରତୀକ ଅଛି ।


Reporterspen