ଭୁବନେଶ୍ୱର, (ରିପୋଟର୍ସ ପେନ୍): ଭୁବନେଶ୍ୱର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ର ବିଚାରପତି ବନ୍ଦନା କର, ଗତ ୨୦୨୨ ମସିହା ଜୁନ ମାସରେ ଭରତପୁର ଥାନା ଅନ୍ତର୍ଗତ ଘନ୍ତିଖାଳ ଅଞ୍ଚଳରେ ହୋଇଥିବା ଝିଅକୁ ହତ୍ୟା ଉଦ୍ୟମ ଓ ପତ୍ନୀ ହତ୍ୟା ଅଭିଯୋଗରେ ଆସାମୀ ସଂଜୀତ ଦାସ ଓରଫ ବାଙ୍କୁଙ୍କୁ ସଜା ଶୁଣାଇଛନ୍ତି ।
ଘଟଣାର ଅନ୍ତରାଳେ: ଅଭିଯୋଗକାରୀ ଶଶିକାନ୍ତ ଦାସଙ୍କ ଭଉଣୀ ସମ ହସ୍ପିଟାଲରେ ଏକ ମୁଖ୍ୟ ନର୍ସ ଭାବେ କାର୍ଯ୍ୟ କରୁଥିବା ବେଳେ ଘଟିକିଆ ଗ୍ରାମର ଆସାମୀ ସଂଜୀତ ଦାସକୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ କନ୍ୟା ସନ୍ତାନ ଥିବା ବେଳେ ଘଟଣାର ତିନିରୁ ଚାରିଦିନ ପୂର୍ବରୁ ଅନ୍ୟ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଆସାମୀଙ୍କର କୌଣସି ନିଜସ୍ବ ରୋଜଗାର ନଥିଲା ଓ ପ୍ରାୟତଃ ସେ ତାଙ୍କର ସ୍ତ୍ରୀଙ୍କ ରୋଜଗାର ଉପରେ ନିର୍ଭର କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଅର୍ଥପାଇଁ ଝଗଡା ହେଉଥିଲା ବେଳେ ଦ୍ବିତୀୟ କନ୍ୟା ସନ୍ତାନର ଜନ୍ମ ଆସାମୀକୁ ଅଧିକ ଚିନ୍ତାଗ୍ରସ୍ତ କରାଇଥିଲା ।
ଗତ ତା.୦୯.୦୬.୨୦୨୨ ରିଖରେ ଆସାମୀ ଦିନ ପ୍ରାୟ ୧୧ଟା ସମୟରେ ଏକ ଧାରୁଆ ଛୁରୀ ସାହାଜ୍ୟରେ ନିଜ ସ୍ତ୍ରୀ ସରସ୍ବତୀ ଦାସଙ୍କୁ ୩୩ ଥର ଛୁରୀ ଭୁଶି ଅତି ନିଷ୍ଠୁର ଏବଂ ନିର୍ମମ ଭାବେ ହତ୍ୟା କରିଥିଲେ। ଏପରିକି ସେ ତାଙ୍କର ୬ ବର୍ଷର ଝିଅକୁ ମଧ୍ୟ ହତ୍ୟା ଉଦ୍ଦେଶ୍ୟ ରଖି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲେ। ସୌଭାଗ୍ୟବଶତଃ ଝିଅଟି ପ୍ରାୟ ୨ ମାସ କାଳ ମୃତ୍ଯୁ ସହ ସଂଗ୍ରାମ କରି ଡାକ୍ତରଖାନାରେ ଚିକିତ୍ସା ହୋଇ ସୁସ୍ଥ ହୋଇଥିଲେ। ସେତେବେଳେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ତଥା ସାରା ରାଜ୍ୟରେ ଏକ ଆଲୋଚ୍ୟ ବିଷୟ ହୋଇଥିଲା। ଅଭିଯୋଗକାରୀ ଏନେଇ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଶ୍ରୀ ଶଶିକାନ୍ତ ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଭରତପୁର ଥାନା କେସ ନଂ.-୨୩୭/୨୦୨୨, ଦଫା- ୩୦୨/୩୦୭/୩୨୪/୩୨୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ମାମଲାର ତଦନ୍ତ ଦାୟିତ୍ୱ ଏସଆଇ ବିଜୟ କୁମାର ଦାସଙ୍କୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତକାରୀ ଅଫିସର ଶ୍ରୀ ଦାସ ଉପରୋକ୍ତ ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଝିଅକୁ ହତ୍ୟା ଉଦ୍ୟମ ଓ ପତ୍ନୀ ହତ୍ୟା ମାମଲାର ଅଭିଯୁକ୍ତ ସଂଜୀତ ଦାସ ଓରଫ ବାଙ୍କୁକୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କ ବିରୋଧରେ ମାନ୍ୟବର ଅଦାଲତରେ ଚାର୍ଜ ସିଟ୍ ଦାଖଲ କରିଥିଲେ ।
ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୫ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ୫୭ ଗୋଟି ଦସ୍ତାବିଜକୁ ଆଧାର କରି ଆସାମୀ ସଂଜୀତ ଦାସ ଓରଫ ବାଙ୍କୁକୁ ଦଫା-୩୦୨ ଅନୁଯାଇ ଫାଶୀଦଣ୍ଡ, ଦଫା ୩୦୭ ଅନୁସାରେ ଆଜୀବନ କାରାଦଣ୍ଡ , ଦଫା ୩୨୬ ରେ ଆଜୀବନ କାରାଦଣ୍ଡ ଓ ଦଫା ୩୨୪ ଅନୁସାରେ ୩ବର୍ଷର ବର୍ଷ ସଶ୍ରମ କାରାଦଣ୍ଡର ସଜା ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ସଲିଳ କୁମାର ପ୍ରଧାନ ପରିଚାଳନା କରିଥିଲେ । ନିଜ ସ୍ତ୍ରୀ ଓ ଝିଅର ସୁରକ୍ଷାକାରି ହୋଇ ନିଜେ ହତ୍ୟାକାରି ସାଜିବାରୁ ଏବଂ ଅତି ନୃଶଂସ ଭାବେ ଛୁରୀ ଭୁଶି ନିଜ ସ୍ତ୍ରୀକୁ ହତ୍ୟା କରିବା ସହ ଏକ ସରଳ ଓ ନିଷ୍ପାପ ନିଜର ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମକୁ ମାନ୍ୟବର ଅଦାଲତ ଅତି ଗମ୍ଭୀରତାର ସହ ନେଇ, ଏପରି ଅପରାଧକୁ ଏକ ବିରଳ ଦୃଷ୍ଟାନ୍ତ ବିବେଚନା କରି ସମାଜରେ ଏଭଳି ଘଟଣା ଘଟାଇବା ପାଇଁ ଅପରାଧୀମାନେ ଯେପରି ସାହସ ନକରନ୍ତି ଦୃଷ୍ଟାନ୍ତମୂଳକ ଭାବେ ଫାଶୀ ଦଣ୍ଡାଦେଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୬୨ ଟି ମାମଲାରେ ଦୋଷୀଙ୍କୁ ସଜା ହୋଇସାରିଛି ।