Jewellery shop loot : ଚାଞ୍ଚଲ୍ୟ: ଗହଣା ଦୋକାନରୁ ଲୁଟ୍ ବେଳେ ଗୁଳିକାଣ୍ଡ, ଦୁଇ ମୃତ

Reporterspen

Jewellery shop loot: ଭୁବନେଶ୍ୱର (ରିପୋଟର୍ସ ପେନ୍‌):ଗହଣା ଦୋକାନରୁ ଲୁଟ୍ ବେଳେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଗହଣା ଦୋକାନର ଜଣେ କର୍ମଚାରୀଙ୍କ ସହ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗହଣା ଦୋକାନ କର୍ମଚାରୀ ସୁନୀଲ ରାୟ ଓ ଯାଜପୁରର ଇଲେକ୍ଟ୍ରିସିଆନ୍ ନୀଳମାଧବ ପଣ୍ଡା । ପୋଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଦୁଇ ଡକାୟତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ସବୁଦିନ ପରି ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଜୁଏଲାରୀ ଦୋକାନ ଖରାବେଳେ ଖୋଲା ରହିଥିଲା । ଅପରାହ୍ଣ ପ୍ରାୟ ୨ଟା ବେଳେ ୩ ଜଣ ଡକାୟତ ଗ୍ରାହକ ବେଶରେ ଦୋକାନକୁ ଆସିଥିଲେ । ଦୋକାନୀ ପଶି ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ଲୁଟପାଟ କରି ଚମ୍ପଟ ମାରିଥିଲେ । ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍‌ ଧରି ଚମ୍ପଟ ମାରୁଥିଲେ। ସେମାନଙ୍କୁ ଗହଣା ଦୋକାନର କର୍ମଚାରୀ ସୁନୀଲ୍‌ ରାୟ ଓ ତାଙ୍କ ସାଥୀ କାର୍‌ରେ ପିଛା କରିଥିଲେ। ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ଥିବା ବିଦ୍ୟୁତ ଅଫିସ୍‌ ଆଗରେ ଲୁଟେରାଙ୍କ ବାଇକ୍‌କୁ ସୁନୀଲଙ୍କ କାର୍‌ ଧକ୍କା ଦେଇଥିଲେ । ତା’ପରେ ୩ ଦୁର୍ବୃତ୍ତ ସେଠାରେ ପଡ଼ି ଯାଇଥିଲେ।

ତଳୁ ଉଠିବା ପରେ ଲୁଟେରାମାନେ ଅନ୍ଧାଧୂନ୍‌ ଗୁଳି ଚଳାଇ ଥିଲେ। ଯେଉଁଥିରେ ଅଫିସ୍‌ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀ ନୀଳମାଧବ ପଣ୍ଡା, କାର୍‌ ଭିତରେ ଥିବା ସୁନା ଦୋକାନୀ କର୍ମଚାରୀ ସୁନୀଲ ରାୟ ଓ ତାଙ୍କ ସାଥୀ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଣିକୋଇଲି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ନୀଳମାଧବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁନୀଲ୍‌ ଓ ତାଙ୍କ ସାଥୀଙ୍କୁ କଟକ ରେଫର କରାଯାଇଥିଲା। ତେବେ ରାସ୍ତାରେ ସୁନୀଲ୍‌ଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଗୁଳି ମାଡ଼ ପରେ ୩ ଦୁର୍ବୃତ୍ତ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ସ୍ଥାନୀୟ ଲୋକେ ୩ ଜଣଙ୍କୁ ପିଛା କରିଥିଲେ। ଜଣେ ଦୁର୍ବୃତ୍ତ ଜୀବନ ବିକଳରେ ବନ୍ଧୁକ ଧରି ଗାଡିଆ ଭିତରେ ପଶି ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ଗାଡିଆ ଭିତରେ ତାକୁ ମାଡ଼ି ବସି ଥିଲେ। ତା’ପରେ ତାକୁ ମାଡ଼ ମାରି ରକ୍ତ କରିଦେଥିଲେ। ଅନ୍ୟ ଜଣେ ଭୟରେ ଏକ ଦୋକାନ ଘର ଭିତରେ ପଶି ଯାଇଥିବା ବେଳେ ତୃତୀୟ ଦୁର୍ବୃତ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୀର୍ଘ ସମୟର କସରତ ପରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଲୁଟେରାଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ଯାଜପୁର ଟାଉନ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ସୁରକ୍ଷା ସୃଷ୍ଟିରୁ ପୋଲିସ ଜଣକୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତରିତ କରିଛି। ଏହାଛଡ଼ା ଗୁଳିକାଣ୍ଡ ସ୍ଥାନରୁ ପୋଲିସ ବିପୁଳ ପରିମାଣର ସୁନା ଜବତ କରିଛି। ଜବତ ହୋଇଥିବା ସୁନା ଲୁଟେରା ନେଇ ପଳାଉଥିବା ଜଣାପଡ଼ିଛି।

ସେପଟେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲୁଟେରାମାନେ ଖଣ୍ଡି ହିନ୍ଦୀ ଭାଷାରେ କଥା ହେଉଛନ୍ତି। ଅନ୍ୟପକ୍ଷରେ ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏବେ ମଧ୍ୟ ପାଣିକୋଇଲି ଛକରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Reporterspen