ଗାଡିରୁ ପେଟ୍ରୋଲ ସରିଯିବାରୁ ସାଙ୍ଗକୁ ହତ୍ୟା, ଦୁଇ ଗିରଫ

0 353

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦେଶୀ ମଦ ପିଇ ଫେରୁଥିଲେ ୩ ସାଙ୍ଗ। ହେଲେ ମଝି ରାସ୍ତାରେ ଧୋକା ଦେଲା ଗାଡ଼ି। ପେଟ୍ରୋଲ୍‌ ସରିଯିବାରୁ ଅଟକିଲା ଗାଡ଼ି। ଏହାକୁ ନେଇ ନିଶାରେ ଥିବା ୩ ସାଙ୍ଗଙ୍କ ମଧ୍ୟରେ ଠେଲାପେଲା ଓ ଗଣ୍ଡଗୋଳ ହୋଇଥିଲା। ଆଉ ତା’ପରେ ସାଙ୍ଗଙ୍କ ବେକରେ ଗାମୁଛା ଗୋଡ଼ାଇ ମାରିଦେଲେ ଦୁଇ ବନ୍ଧୁ। ଗତ ୧୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ଏପରି ଘଟଣା।

ସୁଶାନ୍ତ କୁମାର ଟୁଡୁ ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ଗତ ମଙ୍ଗଳବାର ସେ ତାଙ୍କର ଦୁଇ ବନ୍ଧୁ ରାଜେନ୍ଦ୍ର ହାଁସଦା ଓ ମୋହନ ମାରାଣ୍ଡିଙ୍କ ସହିତ ଦେଶୀ ମଦ ପିଇବା ପାଇଁ ଶୁଡଙ୍ଗଗଡ଼ ଜଙ୍ଗଲ ପାର୍ଶ୍ୱକୁ ଯାଇଥିଲେ। ସମସ୍ତେ ସୁଶାନ୍ତଙ୍କ ସ୍କୁଟିରେ ଯାଇଥିଲେ। ସେଠାରେ ଦୁଇ ବୋତଲ ଦେଶୀ ମଦ ପିଇଥିଲେ। ମଦ ପିଇବା ପରେ ନିଶାରେ ସ୍କୁଟି ଚଲାଇ ଘରକୁ ଫେରୁଥିଲେ।

ହେଲେ ମଝି ରାସ୍ତାରେ ସ୍କୁଟିରେ ପେଟ୍ରୋଲ୍‌ ସରି ଯାଇଥିଲା। ପାଖରେ ଟଙ୍କା ନଥିବାରୁ ପେଟ୍ରୋଲ୍‌ ପକାଇ ପାରୁନଥିଲେ। ଗାଡ଼ିରେ ତେଲ ପକାଇବା ପାଇଁ ସୁଶାନ୍ତ ତାଙ୍କ ବାପାଙ୍କୁ ଫୋନ୍‌ କରି ୫୦ ଟଙ୍କା ଫୋନ୍‌ ପେ’କରିବାକୁ କହିଥିଲେ। ଏହା ପରେ ୩ ସାଙ୍ଗଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ସେହି ଠେଲାପେଲା ଭିତରେ ରାଜେନ୍ଦ୍ର ଏକ ଗାମୁଛାରେ ସୁଶାନ୍ତଙ୍କ ବେକରେ ଗୋଡ଼ା ଚାପି ଦେଇଥିଲେ। ଯେଉଁଥିପାଇଁ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା।

ସୁଶାନ୍ତଙ୍କ ମୃତ୍ୟୁ ପରେ ରାଜେନ୍ଦ୍ର ହାଁସଦା ଓ ମୋହନ ମାରାଣ୍ଡିଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସୁଶାନ୍ତଙ୍କ ମୃତଦେହକୁ ଜଙ୍ଗଲ ପାର୍ଶ୍ୱରେ ଥିବା ବୋଦାରେ ଫିଙ୍ଗି ଦେଇଥିଲେ। ଆଉ ତାଙ୍କ ଗାଡ଼ିକୁ ଗଡ଼ାଇ ଗଡ଼ାଇ ନେଇ ରାସ୍ତା ପାର୍ଶ୍ୱରେ ଥିବା ଜଣଙ୍କ ଘରେ ରଖି ଦେଇଥିଲେ। ଗାଡ଼ି ଚାପିକୁ ଫିଙ୍ଗି ଦେଇଥିଲେ। ଏହା ପରେ ଦୁଇ ସାଙ୍ଗ ଘରକୁ ଫେରି ଆସି ଚୁପ୍‌ଚାପ୍‌ ରହିଥିଲେ।

ସେପଟେ ସୁଶାନ୍ତ ଘରକୁ ନଫେରିବାରୁ ତାଙ୍କ ବାପା ଚିନ୍ତାରେ ପଡ଼ିଯାଇଥିଲେ। ସେ ସୁଶାନ୍ତଙ୍କ ସାଙ୍ଗ ସାଥୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସୁଶାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପାଇନଥିଲେ। ତା’ପର ଦିନ ଅର୍ଥାତ ବୁଧବାର(୧୨ ତାରିଖ) ସେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଶୁଡଙ୍ଗଗଡ଼ ଜଙ୍ଗଲ ପାର୍ଶ୍ୱରେ ଗୋଟିଏ ମୃତଦେହ ପଡ଼ିଥିବା ପୁଲିସ୍‌କୁ ସୂଚନା ମିଳିଥିଲା।

ଗାଁ ଲୋକଙ୍କ ସୂଚନା ଆଧାରରେ ପୁଲିସ୍‌ ମୃତଦେହ ଜବତ କରିଥିଲା। ମୃତଦେହକୁ ସୁଶାନ୍ତଙ୍କ ପରିବାର ଲୋକେ ଚିହ୍ନିଥିଲେ। ଏହା ପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ, ସ୍ଥାନୀୟ ଲୋକଙ୍କ ବୟାନ୍‌ ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୁଲିସ୍‌ ରାଜେନ୍ଦ୍ର ହାଁସଦା ଓ ମୋହନ ମାରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ସେମାନେ ମଦ ନିଶାରେ ସୁଶାନ୍ତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏନେଇ ଅତରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy