ସନ୍ଦୀଗ୍ଧ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ହାବିଲଦାର ମୃତ

0 723

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାରା ରାଜ୍ୟରେ ରଜ ଉତ୍ସବ ପାଳନ ବେଳେ କଟକରେ ଏକ ବଡ ଅଘଟଣ ଘଟିଛି । ଏକ ପରିତ୍ୟକ୍ତ ଘରୁ ମିଳିଥିବା ସନ୍ଦୀଗ୍ଧ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି । ମୃତକ ହାବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ ବୋଲି ଜଣାପଡିଛି । ସେ ରିଜର୍ଭରେ ଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ସନ୍ଦୀଗ୍ଧ ବୋମା ଥିବା ପୋଲିସକୁ ସୂଚନା ମିଳିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାହାକୁ ଜବତ କରିଥିଲା । ପରେ ଜବତ ସନ୍ଦୀଗ୍ଧ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ନିଆଯାଇଥିଲା । ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି ଯେ, ତାହା ବୋମା ନଥିଲା । ତାହା ବାଣ ଥିଲା । ତେବେ କେଉଁ ପରିସ୍ଥିତିରେ ଓ କେମିତି ଏହି ଘଟଣା ଘଟିଲା, ତା’ର ତଦନ୍ତ କରାଯିବ । ବୋମା ନେଇ ଯେଉଁ ପ୍ରଚାର କରାଯାଉଛି, ତାହା ମିଛ । ଗତ କାଳୀପୂଜା ସମୟରେ ଜବତ ହୋଇଥିବା ବାଣକୁ ନଷ୍ଟ କରାଯାଉଥିଲା । ଏହି ସମୟରେ ଅଘଟଣ ଘଟିଛି । ତେବେ ଏହାର ତଦନ୍ତ ଜାରି ରହିଛି ।

ତେବେ ଯେଉଁ ବିସ୍ଫୋରକ ଫୁଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଲା, ତାହା ବୋମା କି ବାଣ ଥିଲା ସ୍ପଷ୍ଟ ହୋଇପାରିନି । ଏହା ବି କୁହାଯାଉଛି, ବିଭିନ୍ନ ସମୟରେ ଜବତ କରାଯାଇଥିବା ବାଣଗୁଡ଼ିକୁ ନିଷ୍କ୍ରିୟ କରିବାକୁ ନଦୀପଠାକୁ ଅଣାଯାଇଥିଲା । ସେଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା । ବାଣଗୁଡ଼ିକ ଭିତରେ କିଛି ବୋମା ଥିଲା । ତେଣୁ ଏଭଳି ଏକ ଅଘଟଣ ଘଟିଗଲା । ତେବେ ଏନେଇ ସାଇଣ୍ଟିଫିକ୍ ଟିମ ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy