୧୫ଦିନ ହେଲା ଅନ୍ଧାରରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ

0 292

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ଥିବା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ହେଲେ ବିଗତ ୧୫ ଦିନରୁ ଅଧିକ ହେଲା ଶିଳ୍ପାଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇରହିଛି । ଶିଳ୍ପାଞ୍ଚଳର ମୁଖ୍ୟରାସ୍ତା ସମେତ ଗଳି ରାସ୍ତାର ଷ୍ଟ୍ରିଟ ଲାଇଟ ଜଳୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟୁତ ବିଭାଗ ବିଏମସି ଉପରେ ଦୋଷ ଲଦି ନିଜେ ଖସି ଯିବାକୁ ଚେଷ୍ଠା କରୁଥିବାରୁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପ୍ରାୟ ୨ ହଜାରରୁ ଅଧିକ ଶିଳ୍ପାନୁଷ୍ଠାନ, ୬ରୁ ଅଧିକ ଆଇଟି ସେକ୍ଟର, ହସପିଟାଲ ଓ ମିଡିଆ ହାଉସ ଭଳି ଅନେକ ସଂସ୍ଥା ରହିଛି । ଦୈନିକ ହଜାର ହଜାର ଲୋକ ଏଠାକୁ ଯିବା ଆସିବା କରନ୍ତିି । ଶିଳ୍ପାଞ୍ଚଳର ଗୁରୁତ୍ୱକୁ ଦେଖି ଇଡକୋ ରାସ୍ତା ପ୍ରଶସ୍ତିକରଣ କରିବା ସହ ଛକ ଛକରେ ହାଇମାକ୍ସ ଲାଇଟ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଛି । ହେଲେ ରାସ୍ତା କଡରେ ଲାଗୁଥିବା ଷ୍ଟ୍ରିଟ ଲାଇଟ୍ ଗୁଡିକ ବିଏମସି ଦ୍ୱାରା ପରିଚାଳିତ ହେଉଛି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶିଳ୍ପାଞ୍ଚଳର ମୁଖ୍ୟରାସ୍ତା ସମେତ ଗଳିକନ୍ଦୀରେ ଷ୍ଟ୍ରିଟ୍ ଲାଇଟ ଲଗାଯାଇଥିଲା । ଶିଳ୍ପାଞ୍ଚଳର ପରିବେଶ ଏମିତି ହୋଇଥିଲା ଯେ ଜଣେ ଦିନ କି ରାତି ଜାଣିବା କଷ୍ଠକର ହୋଇପଡୁଥିଲା । ତେବେ ନିର୍ବାଚନ ସରିବା ପରେ ହଠାତ ଷ୍ଟ୍ରିଟ ଲାଇଟ ଜଳିବା ବନ୍ଦ ହୋଇଯାଇଥିଲା । କେବଳ ଛକରେ ଲାଗିଥିବା ହାଇମାକ୍ସ ଲାଇଟ ଛଡା ଆଉ ସବୁ ଅଞ୍ଚଳ ଅନ୍ଧକାରମୟ ହୋଇଯାଇଛି । ଫଳରେ ଅନ୍ଧାରର ସୁଯୋଗ ନେଇ ଶିଳ୍ପାଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇଉଠିଛନ୍ତି । ଚୋରି, ଲୁଟ୍ ଓ ରାହାଜାନୀ ଭଳି ଅପରାଧ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି ।

ବିଶେଷ କରି ଅନ୍ଧାର ମଦୁଆ ଓ ନିଶାଡିଙ୍କ ପାଇଁ ଅଭୟାରଣ୍ୟ ପାଲଟିଯାଇଛି । ନିଶାଡିମାନେ ଶିଳ୍ପାଞ୍ଚଳକୁ ଆସୁଥିବା ଲୋକ ତଥା ଯୁବତୀମାନଙ୍କୁ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆଲୋକୀକରଣ କରାଯାଉନାହିଁ । ତେବେ ଷ୍ଟ୍ରିଟ୍ ଲାଇଟ ନଜଳିବାର କାରଣ ସମ୍ପର୍କରେ ବିଦ୍ୟୁତ ବିଭାଗ ବିଏମସିକୁ ଦୋଷ ଦେଇଛି । ରସୁଲଗଡ ବିଦ୍ୟୁତ ଡିଭିଜନ ସହ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ‘ଷ୍ଟ୍ରିଟ୍ ଲାଇଟ କାହିଁକି ଜଳୁନି, ସେ ସମ୍ପର୍କରେ ବିଏମସି ଉତ୍ତର ଦେଇପାରିବ । ଆମେ କିଛି କହିବୁ ନାହିଁ ।’ ଏନେଇ ଆମେ ବିଏମସି ସହ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ କିଛି କହିବାକୁ ମନା କରିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଶିଳ୍ପାଞ୍ଚଳ ଷ୍ଟ୍ରିଟ୍ ଲାଇଟକୁ କ’ଣ ପାଇଁ ବନ୍ଦ କରାଯାଇଛି? ସରକାର ବଦଳିବା ପରେ ବିଏମସି ଆକ୍ରୋଶ ମୂଳକ ଭାବେ ଏଭଳି ପଦକ୍ଷେପ ନେଇଛି କି? ମୋହନ ସରକାରକୁ ବଦନାମ କରିବାକୁ ବିଏମସିର ଏହା ଚକ୍ରାନ୍ତ ନୁହେଁ ତ? ଯଦି ସେଭଳି କିଛି ନୁହେଁ, ତେବେ ତୁରନ୍ତ ବିଏମସି, ବିଦ୍ୟୁତ ବିଭାଗ କିମ୍ବା ଇଡକୋ ଏଥିରେ ହସ୍ତକ୍ଷେପ କରି ଷ୍ଟ୍ରିଟ ଲାଇଟ ଜଳାଇବାର ବ୍ୟବସ୍ଥା କଲେ, ଲୋକେ ଅସୁବିଧାରୁ ମୁକ୍ତି ପାଇବେ ବୋଲି ମତ ପ୍ରକାଶ ପାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy