ସ୍ୱର୍ଗତ ଅନନ୍ତ ଚରଣ ପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା, ସ୍ମରଣୀକା ଉନ୍ମୋଚନ

0 290

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ଅନନ୍ତ ଚରଣ ପତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ତଥା ଶ୍ରଦ୍ଧାଞ୍ଜଳୀ ସଭା ଭୁବନେଶ୍ୱରସ୍ଥିତ ଜଗନ୍ନାଥ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଅନନ୍ତ ପତିଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଏକ ସ୍ମରଣୀକା ‘ଅନନ୍ତୟାନ’କୁ ସମ୍ମାନୀୟ ଅତିଥିମାନେ ଉନ୍ମୋଚନ କରିଥିଲେ ।

ଆଜି ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଜଗନ୍ନାଥ ଆଶ୍ରମରେ ଅନୁଷ୍ଠିତ ସ୍ୱର୍ଗତ ଅନନ୍ତ ଚରଣ ପତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ତଥା ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା, ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ବିଜେପି ମିଡ଼ିଆ ସେଲ ଆବାହକ ସୁଜିତ କୁମାର ଦାସ, ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ଉପରୋକ୍ତ ଅତିଥିମାନଙ୍କ ଦ୍ୱାରା ସ୍ମରଣୀକା ‘ଅନନ୍ତୟାନ’ ଉନ୍ମୋଚିତ ହୋଇଥିଲା ।

ଅତିଥିମାନେ ସ୍ୱର୍ଗତ ପତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ପତି ଜଣେ ଉଚ୍ଚକୋଟୀର ଶିକ୍ଷକ ଥିଲେ । ସେ ପିଲାମାନଙ୍କୁ ସବୁବେଳେ ନମ୍ର ଓ ପରପୋକାରୀ ହେବାକୁ ପ୍ରେରଣା ଦେଉଥିଲେ । ତାଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ଅନେକ ଛାତ୍ର ଆଜି ରାଜ୍ୟର ଉଚ୍ଚପଦବୀର ଅଧିକାରୀ ହୋଇପାରିଛନ୍ତି । ଏଥିସହିତ ଅବସର ସମୟରେ ସେ ବିନାଦ୍ୱିଧାରେ ଲୋକଙ୍କ ସେବା କରିବାକୁ ଆଗେଇ ଆସୁଥିଲେ । ଏଭଳି ମଣିଷଟି ଆଜି ସମସ୍ତଙ୍କ ହୃଦୟରେ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତ ପତିଙ୍କର ଅନେକ ଛାତ୍ର ମଧ୍ୟ ଉପସ୍ଥିତ ରହି ତାଙ୍କର ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ୱର୍ଗତ ପତିଙ୍କର ସୁପୁତ୍ର ଅଶୋକ, ଅରୁଣ, ଅଭୟ, ଅଜୟ ଓ ଅଶ୍ୱିନୀଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା ବେଳେ ପରିବାର ଲୋକେ ସହଯୋଗ କରିଥିଲେ ।

ଉଲ୍ଲେଖଥାଉ କି, ସ୍ୱର୍ଗତ ପତିଙ୍କର ଧର୍ମପତ୍ନୀ ସ୍ନେହଲତା ପତି ତାଙ୍କ ସ୍ୱାମୀଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ବୃଦ୍ଧାବସ୍ଥାରେ ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି । ସ୍ୱାମୀଙ୍କ ପରଲୋକ ପରେ ତାଙ୍କ ମୁଣ୍ଡ ଉପରେ ଛିଡି ପଡିଥିବା ଦୁଃଖର ପାହାଡକୁ ଧରି ସେ ଲୋକଙ୍କ ସେବା କରିଚାଲିଛନ୍ତି । ଯେଉଁଥିପାଇଁ ଅତିଥିମାନେ ତାଙ୍କୁ ସାଧୁବାଦ ଜଣାଇବା ସହ ସହ ତାଙ୍କର ଆର୍ଶିବାଦ ନେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy