ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ : ମନମୋହନ ସାମଲ

0 203

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୫ମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ୱର ସ୍ଥିତ ଏମସ୍ ହସ୍ପିଟାଲକୁ ଯାଇ ତାଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ସ୍ମୃତିକୁ ମନେ ପକାଇଥିଲେ ।

ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଜୀ ଭାରତର ବିକାଶ ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନି ଯିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ । ଅଟଳୀଙ୍କ ପାଇଁ ଓଡ଼ିଶା ପରେ ବର୍ତମାନ ଦେଶର ଏକାଧିକ ରାଜ୍ୟରେ ଏମ୍ସ ହସ୍ପିଟାଲ ନିର୍ମାଣ ହେଉଥିବାରୁ ସାଧାରଣ ଲୋକେ ଚିକିତ୍ସାର ସୁବିଧା ପାଉଛନ୍ତି । ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳଜୀ ସଡକ କ୍ରାନ୍ତିର ଜନକଭାବେ ପରିଚିତ । ଅଟଜୀ ତାଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତନ ।

ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାରତକୁ ନୂଆ ଦିଶା ଦେଇଛନ୍ତି ଅଟଜୀ । ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ଦେଶର ଅଗ୍ରଣୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ମେଡିକାଲ କଲେଜ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜର ପ୍ରତିଷ୍ଠା ତାଙ୍କ ପାଇଁ ସମ୍ଭବ ହୋଇପାରିଛି । ୧୯୯୯ ମହାବାତ୍ୟା ପରେ ଓଡିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ଗ୍ରାମ ସଡକ ଯୋଜନା, ଗାଁ ଗାଁରେ ମୋବାଇଲ ସଂଯୋଗ କରାଇବା, ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ । ଭାରବର୍ଷର ଯୁବପିଢୀ ସ୍ୱର୍ଗତଃ ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଏହି ଅବସରରେ ଏମ୍ସ ମେଡିକାଲ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ମେଡିକାଲ ସୁପରିଟେଣ୍ଡେଂଟ ଡ. ଦିଲୀପ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡଜେନା, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ହିତେଶ ମହାପାତ୍ର ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱର୍ଗତଃ ଅଟଳଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy