ଭୋଟ ହାତେଇବାକୁ ବିଜେଡି ଗଚ୍ଛିତ କଳା ଟଙ୍କା ବାଂଟୁଛି: ଗୋଲକ ମହାପାତ୍ର

0 188

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇବା ପରେ ବିଜେଡି ଛାନିଆ ହୋଇଯାଇଛି । ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ ଟଙ୍କା ବାଂଟିବା ଆରମ୍ଭ କରିଛି । ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ଲୋକଙ୍କ ମନକୁ ପରିବର୍ତନ କରି ବିଜେଡିକୁ ଜୋଡେ ଶଙ୍ଖରେ ଭୋଟ ଦେବା ପାଇଁ ବିଜେଡି ନେତା ଓ କର୍ମୀମାନେ ସ୍ୱାଭିମାନୀ ଓଡ଼ିଆ ଭୋଟରଙ୍କୁ ଦୀର୍ଘ ୨୫ବର୍ଷ ହେଲା ଗଚ୍ଛିତ ରଖିଥିବା କଳା ଟଙ୍କା ବାଂଟି ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛି । ପୂର୍ବ ନିର୍ବାଚନ ଗୁଡିକରେ ଏହା କରିଆସୁଥିବାବେଳେ ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବଂଟା କାର୍ଯ୍ୟ ଆପଣାଇଛି ବିଜେଡି ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ।

ବିଜେଡି ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କଲା । ଏନେଇ ବିଜେପି ସିଇଓଙ୍କୁ ଆପତି କଲାପରେ ସରକାରୀ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ସେଥିରୁ ବିଜେଡି ସଜାଗ ହେଲା ନାହିଁ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୋମବାର (୧୩ତାରିଖ)ରେ ହେଉ ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଂଟିବା ଆରମ୍ଭ କରିଦେଇଛି । ଲୋକମାନେ ଜୋଡେ ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ଦାସ ନିଜ ଖୋଲା ସ୍ଥାନରେ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ବାଂଟୁଛନ୍ତି ଯାହାର ଭିଡିଓ ଭାଇରାଲ ହୋଇଛି । ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି ।

ରାୟଗଡା ଜିଲ୍ଲା ସଭାପତି ସୁଧିର କୁମାର ଦାସ ଟଙ୍କା ବାଂଟିବା ଭିଡିଓକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିଛୁ । ବିଜେଡି ହାରିବା ଭୟରେ ପ୍ରଥମେ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଥିଲା । ବର୍ତମାନ ଟଙ୍କା ବାଂଟିବା କାର୍ଯ୍ୟରେ ତାଙ୍କ ଲୋକଙ୍କୁ ନିୟୋଜିତ କରିଛି, ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡା ନଜର ରଖିବେ । ଟଙ୍କା ବଂଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବି ରାଜ୍ୟ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ସେହିପରି କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରାଟ ସାମ୍ରାଜ୍ୟ ରହିଛି । କିନ୍ତୁ ସେ ଦୈନିକ ଖବର କାଗଜରେ ଜଣେ ଦରିଦ୍ର ଲୋକ, ତାଙ୍କ ପାଖରେ କିଛି ନାହିଁ ବୋଲି କହିବାର ଖବର ପ୍ରକାଶ ପାଇଛି । ଏହି ଖବରକୁ ସେ ଟଙ୍କା ଦେଇ ଛାପିଥିବା ଅଭିଯୋଗ ହେଉଛି । ଶ୍ରୀ ସାମନ୍ତଙ୍କ ଏଭଳି କାର୍ଯ୍ୟ ପାଇଁ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy