ଓଡିଆଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବିଜେପି : ମନମୋହନ

0 94

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡିଶାରେ ଏଥର ବିଜେପି ଯଶ୍ୱସୀ ହେବ । ବିଜେପି ସହ ସାଧାରଣ ଲୋକଙ୍କ ଆର୍ଶୀବାଦ, ଶୁଭେଚ୍ଛା ଓ ସହଯୋଗ ଅଛି । ଏଥର ନିର୍ବାଚନ ସାଧାରଣ ଲୋକ ଲଢୁଛନ୍ତି । ନିର୍ବାଚନରେ ଜନତା ଅଗ୍ରଭାଗରେ ଅଛନ୍ତି, ଏଥର ବିଜେପିର ବିଜୟ ସୁନିଶ୍ଚିତ । ଓଡ଼ିଶାର ଲୋକ ଏଥର ଭ୍ରଷ୍ଟାଚାର, ଦୁନୀତିଗସ୍ତ ଶାସନର ସମାପ୍ତ କରି ବିଜେପିର ସରକାର ଗଠନ କରିବେ । ଦେଶର ୧୪୦କୋଟି ଲୋକ ଓ ଓଡ଼ିଶାରେ ସାଢ଼େ ୪କୋଟି ଜନତା “ଦେଶରେ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଆସନରେ ଅଳଙ୍କୃତ କରିବା ସହ ଓଡ଼ିଶାରେ ବିଜେପି ସରକାର” ଗଠନ କରିବେ ।

ବିଜେପି ସରକାରକୁ ଆସିଲେ ଓଡ଼ିଆ ଲୋକ ଦାଦନ ଖଟି ଯିବେ ନାହିଁ । ନିଜର ଖଣିଜ ସମ୍ପତିର ସଦ୍ ବିନିଯୋଗ କରିବେ । କଳ, କାରଖାନା ପ୍ରତିଷ୍ଠା ହେବ ଓଡ଼ିଆ ଲୋକ ରୋଜଗାର ପାଇବେ । ୨୫ବର୍ଷର ବିଜେଡି ଯାହା କରିନି ୫ବର୍ଷରେ ବିଜେପି ତାହା କରି ଦେଖାଇବ । କୃଷି କ୍ଷେତ୍ରରେ ଉନ୍ନତୀ ହେବ । ପ୍ରତ୍ୟେକ ଚାଷୀ ଜଳସେଚନର ସୁବିଧା ପାଇବା ସହ ଚାଷୀଙ୍କ ଆୟ ଦିଗୁଣା ହେବ । ସବୁଠୁ ବଡ କଥା ଓଡ଼ିଶାର ପରମ୍ପରା, ଐତିହ୍ୟ ଓ ସ୍ୱାଭିମାନଙ୍କୁ ବିଜେପି ଗୁରୁତ୍ୱ ଦେବ । ଘୋଷଣା ସର୍ବସ୍ୱ ବିଜେଡି ସରକାରକୁ ବିକାଶ କଣ ବିଜେପି ସରକାର ଆସିଲେ ଦେଖାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ଭାରତୀୟ ଜନତା ପାର୍ଟିର ୫ଜଣ ତୁଙ୍ଗ ନେତା ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଭୁବନେଶ୍ୱରରେ ରୋଡ ଶୋ ଓ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ରୋଡ ସୋରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ୨୪ବର୍ଷ ଧରି ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି, ତାକୁ ବଦଳାଇବା ଦରକାର । ଓଡିଶାରେ ବିଜେପିକୁ ଥରେ ସୁଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶାରେ ସାଢ଼େ ୪କୋଟି ଓଡ଼ିଆ ଥିବାବେଳେ ବିଜେଡି ତାମିଲନାଡୁରୁ ଭଡାଟିଆଙ୍କୁ ଆଣି ନେତା କରାଉଛି । ପର୍ଯ୍ୟଟକ ବୋଲି କହି ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି । ଏହାର ଜବାବ୍ ଓଡିଶାବାସୀ ନିଶ୍ଚିତ ଦେବେ । ବାଲେଶ୍ୱର, କେନ୍ଦ୍ରାପଡା, ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ପାନୀୟ ଜଳ ସଂକଟ ଚିନ୍ତାର କାରଣ ସାଜିଛି ।

ଜଳସେଚନ ଅଭାବ କାରଣରୁ ଚାଷୀ ଭାଇଭଉଣୀମାନେ ଆର୍ଥୀକ ଅନାଟନର ଶିକାର ହେଉଛନ୍ତି । ଆଜି ବି ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଏବଂ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଛି । ୨୫ବର୍ଷ ଶାସନ କରିବା ପରେ ବି ମୁଖ୍ୟମନ୍ତ୍ରୀ ନବୀନ ବାବୁ ସବୁଥିରେ ବିଫଳ ହୋଇଛନ୍ତି । ବିଜେପି ଶାସନରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହେବ । ଏହା ହେଉଛି ମୋଦିଙ୍କ ଗ୍ୟାରେଂଟି । ସମଗ୍ର ଓଡିଶାକୁ ମୋଦିମୟ କରିବାକୁ ଆହ୍ୱାନ ଦେବା ସହ ଓଡ଼ିଶାରେ ପରିବର୍ତନ ପାଇଁ ଲୋକେ ମନ ସ୍ଥିର କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ଏଥିଲାଗି ବିଜେଡିର ୨ଜଣ ନେତା ଏକାଠି ବୁଲୁଥିବା ନଜର ଆସିଛି । ସେମାନେ ବୁଲି ବୁଲି କମେଡି ଭିଡିଓ କରି ଛାଡୁଛନ୍ତି । ସେମାନେ ଡିପ୍ ଫେକ୍‌, ଏଆଇ ଭିଡିଓ କରୁଥିବା ଅଭିଯୋଗ ଉଠିବାରୁ ଏବେ ଲୁଚିଛପି ଭିଡିଓ କରାଯାଉଛି ଓ ମଝିରେ ମଝିରେ ଛଡାଯାଉଛି । ସେହିପରି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସମଗ୍ର ଓଡ଼ିଶାବାସୀଙ୍କୁ ଜୁନ୍ ୧୦ତାରିଖ ଦିନ ବିଜେପି ସରକାର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରି ଯାଇଛନ୍ତି । ଏଥର ପ୍ରଧାନମନ୍ତ୍ରୀ ୪ଶହ ପାର ନାରାକୁ ସଫଳ କରିବା । ଓଡ଼ିଶାରେ ଏଥର ବିଜେପି ସରକାର ଗଠନ ହେବ ଓ ଜୁନ୍ ୧୦ତାରିଖ ଓଡିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ।

ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଜେପି ସରକାର କରିବାକୁ ଓଡ଼ିଶାର ଜନତା ମନସ୍ଥ କରିସାରିଲେଣି । କାରଣ ମୋଦି ସରକାର ଓଡ଼ିଶାର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବେ । ନବ ଓଡ଼ିଶାର ନିର୍ମାଣ ହେବ, ତେଣୁ ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଆଣିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି । ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି ।

ସେହିପରି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି । ଆଉ ଜଣେ ସରକାର ଚଳାଉଛନ୍ତି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ଲୋକ ନଥିଲେ । ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ କ୍ରୀତଦାସ ଯାଇଥିଲେ । ସବଠୁ ଆଶ୍ଚର୍ଯ୍ୟର କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ସହ କେହି ବିଜେଡି ପ୍ରାର୍ଥୀ ନଥିଲେ । କ’ଣ ବିଜେଡି ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଆଉ ଦାଦନ ଖଟିବାକୁ କେହି ଯିବେ ନାହିଁ । ସମସ୍ତଙ୍କୁ ଓଡ଼ିଶାରେ କାମ ମିଳିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy