୪୦୦ଆସନ ଜିତି ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବ : ଡଃ. ହେମନ୍ତ ବିଶ୍ୱଶର୍ମା

0 103

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଧାନମନ୍ତ୍ରୀ କାହିଁକି ୪୦୦ ସିଟ୍ ଚାହୁଁଛନ୍ତି, ଏହାକୁ ନେଇ ବିରୋଧୀ ମାନେ ଗୋଟିଏ ମିଛ ନ୍ୟାରେଟିଭ ତିଆରି କରିଛନ୍ତି । ମୋଦି ସମ୍ବିଧାନ ବଦଳାଇବା ଚାହୁଁଛନ୍ତି, ତେଣୁ ୪୦୦ ସିଟ୍ ଦରକାର କରୁଛନ୍ତି ବୋଲି ବିରୋଧୀମାନେ ନ୍ୟାରେଟିଭ୍ କରିଛନ୍ତି । ବିଜେପି ପାଖରେ ପୂର୍ବରୁ ୪୦୦ ସିଟ୍ ଥିଲା । ୩୭୦ ଧାରା ଉଚ୍ଛେଦ, ନାରୀ ଶକ୍ତି ବନ୍ଦନ ଅଧିନିୟମ ଭଳି ବିଲ୍ ପାସ୍ ବେଳେ ସଂସଦରେ ଆମ ସରକାରକୁ ୪୦୦ ରୁ ଅଧିକ ବହୁମତ ମିଳିଆସିଛି । ଆମ ସହ ଯେତେବେଳେ ୪୦୦ ବହୁମତ ଥିଲା, ସେତେବେଳେ ଆମେ ମହିଳାମାନଙ୍କୁ ସଂସଦରେ ସଂରକ୍ଷଣ ଦେଲୁ । ଆମ ସହ ଯେତେବେଳେ ୪୦୦ ବହୁମତ ଥିଲା, ସେତେବେଳେ ଆମେ ସିଏଏ ଲାଗୁ କରି ପଡୋଶୀ ଦେଶରୁ ଆସିଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ଦେଲୁ ।

ଆମ ଦେଶର ସଭ୍ୟତା ୫ ହଜାର ବର୍ଷରୁ ବି ଅଧିକ ପୁରୁଣା । ଆମ ଦେଶ ୧୯୪୭ ପରେ ତିଆରି ହୋଇନାହିଁ । ଯେଉଁମାନେ ଭାବୁଛନ୍ତି ଯେ, ଦେଶରେ ସିକ୍ୟୁଲାରିଜିମ୍ ସରିଯିବ ବୋଲି ସେମାନେ ଜାଣିବା ଦରକାର ଆମ ସଭ୍ୟତା ଆରମ୍ଭରୁ ହିଁ ଦେଶ ସିକ୍ୟୁଲାର ଥିଲା । ଭାରତ ସବୁବେଳେ ପୁରା ବିଶ୍ୱର କଲ୍ୟାଣ ଚାହେଁ । ଭାରତର ଲୋକ ମାନେ ହିଁ ୫ହଜାର ବର୍ଷ ହେଲା ସିକ୍ୟୁଲାରିଜିମ୍‌କୁ ସୁରକ୍ଷା ଦେଇ ଆସୁଛନ୍ତି । ଦେଶ ବିଭକ୍ତ ହେଲା ପରେ ଯଦି ପାକିସ୍ତାନ ମୁସଲିମ୍ ରାଷ୍ଟ୍ର ହୋଇପାରିଲା, ତେବେ ଭାରତକୁ ହିନ୍ଦୁରାଷ୍ଟ୍ର କହିଲେ କାହିଁକି କିଛି ଲୋକଙ୍କୁ ଏହା ବାଧୁଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ଡଃ. ହେମନ୍ତ ବିଶ୍ୱଶର୍ମା କହିଛନ୍ତି ।

ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, କଂଗ୍ରେସ ସମୟରେ ହିଁ ସମ୍ବିଧାନ ସହ ଖେଳ ହୋଇଛି । ବିଜେପି ସରକାର ସେ ସମୟରେ ଥିଲେ ଜରୁରୀ କାଳୀନ ସ୍ଥିତି କେବେ ହୋଇନଥାନ୍ତା । ବିଜେପି ୟୁନିଫର୍ମ ସିଭିଲ କୋର୍ଡକୁ ସମର୍ଥନ କରୁଛି । ରାହୁଲ ଗାନ୍ଧୀ ଧରି ବୁଲୁଥିବା ସମ୍ବିଧାନରେ ଏହି ଧାରା ଅଛି କି ନାହିଁ? ହିନ୍ଦୁ ଧର୍ମରେ ଯଦି ଜଣେ ସ୍ୱାମୀର ଗୋଟିଏ ସ୍ତ୍ରୀ ହେବ, ତେବେ ଅନ୍ୟ ଧର୍ମରେ ମଧ୍ୟ ଗୋଟିଏ ସ୍ୱାମୀର ଜଣେ ସ୍ତ୍ରୀ ରହିବା କଥା । ଏହାକୁ ନେଇ ୟୁନିଫର୍ମ ସିଭିଲ କୋର୍ଡ ତିଆରି ହୋଇଛି । ଆମେ ସମ୍ବିଧାନ ବଦଳାଇବାକୁ ଚାହୁଁ ନାହୁଁ । ସମ୍ବିଧାନକୁ ଆହୁରି ମଜବୁତ କରିବା ବିଜେପିର ଲକ୍ଷ୍ୟ । କଂଗ୍ରେସ ସମ୍ବିଧାନକୁ ଅପଭ୍ରଂଶ କରି ଯାଇଛି । କଂଗ୍ରେସ ସରକାର ସମୟରେ ପିଓକେକୁ ନେଇ ଆଲୋଚନା ହେଉନଥିଲା । ବିଜେପି ସରକାର ଆସିଲା ପରେ ପିଓକେ ଆମ ଦେଶର ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି କଲେ ।

କଂଗ୍ରେସ ଦେଶକୁ ବିକ୍ରି କରିବାକୁ ଚାହୁଁଥିଲା । କଂଗ୍ରେସ ସମୟରେ ପାକିସ୍ତାନ ପତାକା ଧରି ଲୋକମାନେ କାଶ୍ମୀରରେ ଆନ୍ଦୋଳନ କରୁଥିଲେ । କିନ୍ତୁ ବିଜେପି ସରକାର ଆସିଲା ପରେ କାଶ୍ମୀର ଏବଂ ପିଓକେ ଲୋକ ଭାରତର ପତାକା ଧରି ପାକିସ୍ତାନ ବିରୋଧରେ ଆନ୍ଦୋଳନ କରୁଛନ୍ତି । ପୁରା କାଶ୍ମୀର ଭାରତର ଅଂଶ । ପିଓକେକୁ ଭାରତରେ ମିଶାଇବା ପାଇଁ ଆମକୁ ୪୦୦ ସିଟ୍ ଦରକାର । ସଂପୂର୍ଣ୍ଣ କାଶ୍ମୀରକୁ ଭାରତରେ ମିଶାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିକ୍ୟୁଲାରିଜିମ୍ ନାଁରେ ତୁଷ୍ଟିକରଣ ଭୁଲ ।

କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ଦେଉଥିଲା । ଦେଶକୁ ବିଶ୍ୱଗୁରୁ କରିବା ପାଇଁ ବିଜେପି ୪୦୦ ପାର୍ ଚାହୁଁଛି । ସମ୍ବିଧାନକୁ ସୁଦୃଢ଼ କରିବା ପାଇଁ ବିଜେପି ୪୦୦ ପାର୍ ଦରକାର କରୁଛି । କଂଗ୍ରେସ ଚାହୁଁନାହିଁ ଭାରତର ଅର୍ଥନୀତି ବିଶ୍ୱରେ ତୃତୀୟ ସ୍ଥାନରେ ପହଁଚୁ । କଂଗ୍ରେସ ଭାରତ କାହିଁକି ବିଶ୍ୱ ଗୁରୁ ହେବ ବୋଲି ପ୍ରଶ୍ନ ଉଠାଇଛି । ବର୍ତମାନ ଦେଶକୁ ବିକଶିତୁ କରିବା ପାଇଁ ସୁବର୍ଣ୍ଣ ସମୟ ଆସିଛି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy