ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ

0 3,094

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଆସିଲା ପରେ ବିଧାୟକ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି। ଯେଉଁମାନେ ମୋ ବିରୁଦ୍ଧରେ କରୁଛନ୍ତି ସେମାନଙ୍କର ନାରକୋ ଟେଷ୍ଟ କରାଯାଉ। ଏପରିକି ମୋର ବି ନାରକୋ ଟେଷ୍ଟ କରାଯାଉ। ଏହି ମାମଲାରେ ମୋ ବିରୁଦ୍ଧରେ ଯେଉଁ ଷଡଯନ୍ତ୍ର ଚାଲିଛି ତାହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ। ରାଜନୈତିକ ଉଦେଶ୍ୟ ରଖି ମୋ ବିରୁଦ୍ଧରେ ଏହା ଏକ ଷଡଯନ୍ତ୍ର। ବିରୋଧୀ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଯିଏକି ମୋ ସହିତ ଲଢ଼ି ହାରିଛନ୍ତି ସେ ରାଜନୈତିକ ଉଦେଶ୍ୟ ରଖି ଏଭଳି ଷଡଯନ୍ତ୍ର କରୁଛନ୍ତି। ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ। ବିଭିନ୍ନ ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅପପ୍ରଚାର ଚାଲିଛି। ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି। ଘଟଣାରେ କିଛି ସତ୍ୟସତ୍ୟ ନାହିଁ।

ଅନ୍ୟପଟରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ହତ୍ୟା, ହତ୍ୟା ଷଡୟନ୍ତ୍ର, ଧମକ ଦେଇଥିବା ଦଫାରେ ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି। ପ୍ରତାପ ଜେନା ବର୍ତ୍ତମାନ ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି।

ମାହାଙ୍ଗା ଡବଲ ମର୍ଡର ମାମଲା ନେଇ ମାହାଙ୍ଗା ପୁଲିସ ଏହି ମାମଲାର ତଦନ୍ତ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍‌କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ପ୍ରତାପ ଜେନା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କଲା, ସେହି ସମୟରେ ସେଥିରେ ପ୍ରତାପଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍‌ଚିଟ୍ ଦେଇଥିଲା। ଏହି ମାମଲାରେ ପ୍ରତାପ ଜେନାଙ୍କର କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଥିଲା। ପୁଲିସର ଚାର୍ଜସିଟ ଦାଖଲ ପରେ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। ହାଇକୋର୍ଟ ମାମଲାର ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ଘଟିଥିଲା। ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗକାରୀ ରମାକାନ୍ତ ବରାଳ ୧୩ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏଥିରୁ ୯ ଜଣ ଗିରଫ ହୋଇ ସାରିଛନ୍ତି। ଏତଲା ଅନୁଯାୟୀ ୧୩ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ୨୦୨୧ ଜାନୁଆରି ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ୨୦୨୧ରେ ସିଡିଆର(କଲ ଡିଟେଲେସ ରିପୋର୍ଟ)କଲ ଫର ହେଲା। ୨୦୨୩ ଜାନୁଆରିରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ରମାକାନ୍ତଙ୍କ ସାନଭାଇ ରଞ୍ଜିତ ବରାଳ ମାମଲା ପାଇଁ ଲଢୁଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy