ଅଣଓଡ଼ିଆ ଲୋକ ଓଡ଼ିଶାର ଶାସନକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି: ହିମନ୍ତ ବିଶ୍ୱଶର୍ମା

0 256

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେତେକ ଅଣଓଡ଼ିଆ ଲୋକ ବିଶେଷ କରି ତାମିଲନାଡ଼ୁ ଲୋକ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଗୁରୁବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରୋଡ ସୋ କରିବା ସହ କେନ୍ଦୁଝର, ଚୌଦ୍ୱାର ଏବଂ ବଡ଼ମ୍ବାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ।

ପ୍ରଚାର କାଳରେ ଆସାମ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ସମ୍ବଲପୁର କଚେରି ଛକ ଠାରେ ଆସାମୀୟ କବି ତଥା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଥିଲେ ।

ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ କାମ ନିଜେ କରନ୍ତି । କିନ୍ତୁ ଓଡ଼ିଶାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବଜାରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିବେ, ସେହି ନିଷ୍ପତ୍ତି ମଧ୍ୟ ପାଣ୍ଡିଆନ ନେଉଛନ୍ତି । ଏଥିରେ ନବୀନ ପଟ୍ଟନାୟକ ଖୁସି ଅଛନ୍ତି କି? ତାଙ୍କ ଉପରେ କୌଣସି ଚାପ ନାହିଁ ତ । ମାନ୍ୟବର ହାଇକୋର୍ଟଙ୍କ ବିଚାରପତି କିମ୍ବା ରାଜ୍ୟପାଳ ଏହା ଉପରେ ଦୃଷ୍ଟି ଦିଅନ୍ତୁ । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ପାଣ୍ଡିଆନଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟି ଆଲୋଚନା କରନ୍ତୁ । ଏଠାରେ ୫ଟି ବୋଲି କିଛି ନାହିଁ ।

କେବଳ ଗୋଟିଏ ଟି ତାମିଲନାଡ଼ୁ ଅଛି । କେତେକ ଅଣଓଡ଼ିଆ ଲୋକ ଓଡ଼ିଶାକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି । ଏହି ଯୋଜନାକୁ ପଣ୍ଡ କରିବା ସହ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି, ସ୍ୱାଭିମାନର ସୁରକ୍ଷା ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଆଣିବାକୁ ନିବେଦନ କରିଛନ୍ତି ଶ୍ରୀ ବିଶ୍ୱଶର୍ମା । ଓଡ଼ିଶା ପାଇଁ ରାଜ୍ୟର ସ୍ୱାର୍ଥ ଚାହୁଁଥିବା ଦଳ ଦରକାର ନା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଓ ଦଳର ମୁଖିଆଙ୍କୁ ବ୍ୟବହାର କରୁଥିବା ଅଣଓଡ଼ିଆ ଦରକାର, ଏହା ଓଡ଼ିଶାବାସୀ ସ୍ଥିର କରନ୍ତୁ ବୋଲି ସେ କହିଛନ୍ତି ।

ଶ୍ରୀ ବିଶ୍ୱଶର୍ମା ଆହୁରି କହିଛନ୍ତି, ବିଜେପିର ଏଥର ନାରା ରହିଛି ‘ଅବକୀ ବାର, ୪୦୦ ପାର’ । ଏହା କେବଳ ଏକ ନାରା ନୁହଁ ଏହା ଆମ ସଂକଳ୍ପ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି, ୪-୦୦ ପାର ନାରା ବିରୋଧୀ ଦଳଙ୍କ ନିଦ ହଜାଇ ଦେଇଛି । ୪୦୦ ସାଂସଦ ଜିତିଲେ କଣ କରିବୁ ବୋଲି ପଚାରୁଛନ୍ତି । ୪୦୦ ସାଂସଦ ବିଜେପି ଜିତିଲେ ପିଓକେକୁ ଭାରତର ମିଶାଯିବ । ମଥୁରାରେ ଶ୍ରୀକୃଷ୍ଣଙ୍କ ଭବ୍ୟ ମନ୍ଦିର ଏବଂ କାଶୀରେ ଜ୍ଞାନବ୍ୟାପୀ ମନ୍ଦିର ତିଆରି କରାଯିବ ।

ଓଡ଼ିଶାରେ ମଧ୍ୟ ଏଥର ବିଜେପି ସରକାର କରିବ । ଡବଲ ଇଞ୍ଜିନ ସରକାର ହେଲେ କୁଇଣ୍ଟାଲ ପିଚ୍ଛା ଧାନର ମୂଲ୍ୟ ୩୧୦୦ ଟଙ୍କା ହେବ । କଟନୀ ଛଟନୀରୁ ଚାଷୀଙ୍କୁ ମୁକ୍ତି ମିଳିବ । ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ମିଳିବ । ଏହାକୁ ଦୁଇ ବର୍ଷ ମଧ୍ୟରେ ମହିଳା ଜଣକ ଖର୍ଚ୍ଚ କରିପାରିବେ । ପିଏମ୍ ଆବାସ ଯୋଜନାରେ ସମସ୍ତ ଗରିବ ପରିବାରଙ୍କୁ ଘର ମିଳିବ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ମିଳିବ ଏବଂ ଭତ୍ତା, ଗ୍ୟାସ, ଶୌଚାଳୟ ମିଳିବା ନେଇ ମଧ୍ୟ ମୋଦୀ ଗ୍ୟାରେଣ୍ଟି ରହିଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏହା ସହ ଓଡ଼ିଶାର ୧ ଲକ୍ଷ ଯୁବକଯୁବତୀଙ୍କୁ ମଧ୍ୟ ସରକାରୀ ଚାକିରି ଦିଆଯିବ ବୋଲି ସେ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy