ରାଜା ସ୍ୱାଇଁ କାମଚଳା ବାଚସ୍ପତି, ବିଧାୟକଙ୍କୁ ଶପଥ ପାଠ କରାଇବେ

0 336

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା। ଏହା ବାଚସ୍ପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅଥବା ହାଇକୋର୍ଟଙ୍କୁ ମୁଖ୍ୟ ବିଚାରପତି କରି ନଥାଆନ୍ତି। ବରଂ ଗୃହରେ ଥିବା ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ଏହି ଦାୟିତ୍ୱ ମିଳିଥାଏ। ଚଳିତ ଅଧିବେଶନରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ ଏଥର ସବୁ ଦଳର ବିଧାୟକଙ୍କୁ ଶପଥ ପାଠ କରାଇବେ।

ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସରକାର ଗଠନ ହେବା ପୂର୍ବରୁ ପୁରୁଣା ବିଧାନସଭାରେ କାର୍ଯ୍ୟକ୍ଷମ ଥିବା ବାଚସ୍ପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥାଏ। ଏହିକ୍ରମରେ ବାଚସ୍ପତି ପ୍ରମିଳା ମଲ୍ଲିକ ଏବେ ବିଧାନସଭାରେ ଜଣା ନବ ନିର୍ବାଚିତ ସଦସ୍ୟ ଭାବେ ଗଣାଯାଉଛନ୍ତି। ତେବେ ବିଧି ଅନୁସାରେ ନବ ନିର୍ବାଚିତ ପ୍ରତିନିଧିଙ୍କ ଭିତରୁ ଯିଏ ସବୁଠାରୁ ବରିଷ୍ଠ ତାଙ୍କୁ ରାଜ୍ୟପାଳ କାମଚଳା ବାଚସ୍ପତି ବା ପ୍ରୋଟେମ୍‍ ସ୍ପିକର ଭାବେ ନିଯୁକ୍ତି ଦେଇଥାଆନ୍ତି। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥାନ୍ତି। ତା’ ପରେ ସେ ସଭା ମଧ୍ୟ ଅଧ୍ୟକ୍ଷ ଆସନ ଗ୍ରହଣ କରି ଅନ୍ୟ ବିଧାୟକଙ୍କୁ ଜଣକ ପରେ ଜଣେ ଶପଥ ପାଠ କରାଇଥାଆନ୍ତି।

ଏହିକ୍ରମରେ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ଭିତରୁ ସବୁଠାରୁ ବରିଷ୍ଠ ହେଉଛନ୍ତି ଶ୍ରୀ ସ୍ୱାଇଁ। ସେ ଆଠଗଡ଼ରୁ ୮ଥର ଗୃହକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଯଦିଓ ଏଥର ବିଜେପି ସରକାର ଗଢ଼ିଛି ଏବଂ ଗୃହରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି କିନ୍ତୁ ବିଧି  ଓ ପରମ୍ପରା ଅନୁସାରେ ବିଜେଡି ବିଧାୟକ ତାଙ୍କୁ ଶପଥ ପାଠ କରାଇବେ।

ଆଜି ଶ୍ରୀ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ରାଜ୍ୟପାଳଙ୍କ ଠାରୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ୧୮ ଓ ୧୯ ତାରିଖ ଦିନ ସେ ଅନ୍ୟ ସଦସ୍ୟଙ୍କୁ ବିଧାନସଭାରେ ଶପଥ ପାଠ କରାଇବେ। ୨୦ ତାରିଖ ଦିନ ସଦସ୍ୟମାନେ ବାଚସ୍ପତି ଚୟନ କରିବେ। ଏଥର ବାଚସ୍ପତି ସୁରମା ପାଢ଼ୀ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଧନ୍ୟବାଦ ଦେବା ଲାଗି ପ୍ରସ୍ତାବ ଆଗତ ହେବ। ଏହି ଶପଥ ପାଠ ଓ ଧନ୍ୟବାଦ ପ୍ରସ୍ତାବ ଲାଗି ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରାଯାଇଛି। ଏହାପରେ ରାଜ୍ୟପାଳ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବେ। ମୁଖ୍ୟତଃ ସରକାରଙ୍କ ଆଗାମୀ ୫ ବର୍ଷର ଲକ୍ଷ୍ୟ ଓ ଯୋଜନା ଏହି ଅଭିଭାଷଣରେ ସ୍ପଷ୍ଟ ହେବ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy