ନିର୍ବାଚନ : ସୁରକ୍ଷା ଲାଗି ୩୬ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ

0 475

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତା କାଲି ଓଡିଶାରେ ଚତୁର୍ଥ ପର୍ଯ୍ୟlୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏହି ପର୍ଯ୍ୟlୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ପୁରୀ ଏବଂ କଟକ ସହରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ବିଗତ ତିନି ପର୍ଯ୍ୟାୟରେ ୧୫ ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ୱ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ମାତ୍ର ଦୁଇଟି ବୁଥରେ ପୁନଃ ମତଦାନ ହୋଇଛି। ଯାହାକି ଚଳିତ ସାଧାରଣ ନିର୍ବାଚନର ଏକ ରେକର୍ଡ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ଏହି ଅବସରରେ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ ଚତୁର୍ଥପର୍ଯ୍ୟlୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୦୯ ପୋଲିସ ଜିଲ୍ଲାରେ ୮୭୫୨ ସ୍ଥାନରେ ୧୦୮୮୨ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖି ୨୧% ବୁଥ ସମ୍ବେଦନଶୀଳ ଅଟେ । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୬ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି । ଯେଉଁଥିରେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ,୮୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୪ ଜଣ ଅତିରିକ୍ତ ଏସପି, ୯୯ଡିଏସପି,୨୧୦ଇନ୍ସପେକ୍ଟର,୨୫୮୩ଏସଆଇ/ ଏଏସଆଇ ସହ ୯୪୭୬ କନଷ୍ଟେବଳ/ ହାବିଲଦାର,୮୦୮୩ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ୦୪ ଜଣ ଯୁବ ଆଇପିଏସ ଅଧିକାରୀଙ୍କୁ ଜଗତସିଂହପୁର,କେନ୍ଦ୍ରାପଡା, ମୟୂରଭଞ୍ଜ,ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ୮୪୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୦୯ ପୋଲିସ ଜିଲ୍ଲାରେ ୬୦ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୦୯ ଜିଲ୍ଲାରେ ୨୫୫ ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୦୯ ଟି ଜିଲ୍ଲାରେ ୧୩ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି ।

ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ଚାଲିଛି। ଜାନୁୟାରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୭ କୋଟି ଟଙ୍କା ଜବତ କରାଯାଇଛି। ପ୍ରାୟ ୯୧.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି। ୭ ଲକ୍ଷ ୧୩୦ ଲିଟର ମଦ ଜବତ କରା ଯାଇଥିବା ବେଳେ୪୦୩୦ବେପାରୀଙ୍କୁ ଗିରଫ କରାଯାଇଛି। ୧୧ ଜଣଙ୍କୁ ଏନଏସଏରେ ବୁକିଂ କରାଯାଇଛି। ୮୬୦.୭୮କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନ ସୁଗର, ୪୬୩୦ ଲିଟର କଫ ସିରଫ ଜବତ କରାଯାଇଛି। ୧୨୦୫ ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ୧୨୫୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ କମିଶନରେଟ ପୋଲିସ ଅଞ୍ଚଳରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯିବା ନିମନ୍ତେ ସମସ୍ତ କ୍ଷେତ୍ରରେ ନିରପେକ୍ଷ ଭୂମିକା ଗ୍ରହଣ କରାଯାଉଛି। କୌଣସି କ୍ଷେତ୍ରରେ ପକ୍ଷପାତିତା କରାଯିବନି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ସମସ୍ତ ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି ନିୟନ୍ତ୍ରଣଧୀନ ଅଛି। ଶେଷ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହା ସହ ଚଳିତ ନିର୍ବାଚନରେ ଦିନ ରାତି ପରିଶ୍ରମ କରୁଥିବା ପୋଲିସ କର୍ମଚାରୀଙ୍କ ତ୍ୟାଗ ପାଇଁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସାଧୁବାଦ ଜଣାଇଛନ୍ତି।

ଏହି ଅବସରରେ ନିର୍ଦ୍ଦେଶକ (ଏସସିଆରବି) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ, ଆଇଜିପି (ବିପିଏସପିଏ) ଏସ. ସାଇନୀ,ଆଇଜିପି (କ୍ରାଇମ ବ୍ରାଞ୍ଚ) ସଫିନ ଅହମ୍ମଦ, ଏଆଇଜିପି (ମୁଖ୍ୟାଳୟ) ବାତୁଳ ଗଙ୍ଗାଧର ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy