ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

0 126

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କାକଟପୁରର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଦିର୍ଘ ଦିନ ଧରି ସେ  ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।  ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ।  ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।

ସେହିପରି ବିଜେଡି ସଭାପତି ତଥା ବିରୋଧଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବରିଷ୍ଠ ନେତା, ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କାକଟପୁରବାସୀଙ୍କ ସେବା ଓ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ସ୍ମରଣୀୟ। ଜଣେ ଦକ୍ଷ ରାଜନେତା ଏବଂ ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକ କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ରାଜନେତା ଭାବେ ବେଶ୍ ପରିଚିତ ଥଲେ। ସେ କାକଟପୁରରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କୃଷି, ରାଜସ୍ବ ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ସେ ସରପଞ୍ଚ ଭାବେ ରାଜନୈତିକ ମଇଦାନକୁ ଓହ୍ଲାଇଥିଲେ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy