ମୁକୁଳା ଡ୍ରେନ୍ ନେଲା ପୁଣି ଜଣେ ନାବାଳକଙ୍କ ଜୀବନ

0 175

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ପିଲାର ମୃତ୍ୟୁ ଘଟିଛି । ମୃତକ ଜଣକ ୟୁନିଟ-୩ ମସଜିଦ୍ କଲୋନୀର ଏସ୍‌କେ ରାଜେଶ୍ । ମୃତ ଘୋଷଣା ପରେ କ୍ୟାପିଟାଲ୍ ହସ୍ପିଟାଲରେ ଶୋକର ଛାୟା ଖେଳି ଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସ ଏନେଇ ଘୋଷଣା କରିଛନ୍ତି ।

ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ସେହି ସମୟରେ ୟୁନିଟ-୩ ମସଜିଦ୍ କଲୋନୀର ଏସ୍‌କେ ରାଜେଶ ଓ ତାଙ୍କ ସାଥୀମାନେ ଡ୍ରେନ୍ ପାଖରେ ଖେଳୁଥିଲେ । ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍‌ରେ ବେଲୁନ୍ ଭାସି ଭାସି ଯାଉଥିଲା । ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍ ଭିତରକୁ ଯାଇଥିଲା । ବେଲୁନ୍ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ । ତାଙ୍କ ସାଥୀମାନେ ବର୍ତ୍ତି ଯାଇଥିଲେ । ସେମାନେ ଚିତ୍କାର କରିବାରୁ ସାହି ଲୋକେ ଉଦ୍ଧାର ପାଇଁ ଡ୍ରେନ୍ ଭିତରେ ପଶିଥିଲେ, ପାଇନଥିଲେ ।

ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍ ପାଖରେ ପହଂଚି ଥିଲେ । ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ପ୍ରାୟ ଘଂଟାଏ ପରେ ଡ୍ରେନ୍‌ର ଓଷ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କ୍ୟାପିଟାଲ୍ ମେଡ଼ିକାଲ୍ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ପରେ ମେଡ଼ିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଡ୍ରେନ୍‌ରେ ଭାସି ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତ ରାଜେଶଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି । ତେବେ ମୁକୁଳା ଡ୍ରେନରେ ଭାସିଯିବା ଘଟଣା ଏହା ନୂଆ ନୁହେଁ, ବରଂ ରାଜଧାନୀରେ ଏଭଳି ଏକାଧିକ ଘଟଣା ଘଟିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy