ରଥଯାତ୍ରା ଲାଗି ଦୁଇଦିନ ଛୁଟି ଘୋଷଣା

0 203

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଚଳିତ ବର୍ଷ ରଥ ଯାତ୍ରାରେ ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି । ଏହି ରଥ ଯାତ୍ରା ଦୁଇ ଦିନ ଧରି ଚାଲିବ । ତେଣୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି । ଫଳରେ ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ଛୁଟି ରହିବ ।

ପୁରୀରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ । ଜଣେ ଆଦିବାସୀ ଭାବେ ସେ ନିଜକୁ ଜଗନ୍ନାଥଙ୍କ ନିକଟରେ ସଂପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

ରଥ ଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଂଚିଥିଲେ । ସେଠାରେ ଟାଉନ୍ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି । ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ଏହି ବୈଠକରେ ରଥନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସବିଶେଷ ଭାବେ ଆଲୋଚନା ହୋଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy