ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର

0 278

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପର ଠାରୁ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରମାଣିତ କରିଛନ୍ତି ଯେ ସେ ହେଉଛନ୍ତି ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ହେଉଛି ପ୍ରକୃତରେ ଲୋକଙ୍କ ସରକାର। ପ୍ରଥମ ଦିନରୁ ହିଁ ସାଧାରଣ ଲୋକଙ୍କ ପାଇଁ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରିବା ପାଇଁ ଆରମ୍ଭ ହୋଇଛି ପଦକ୍ଷେପ।

ଆଜି ପ୍ରତ୍ୟୁଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆଳତୀ ସମୟରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲା ଯାଇଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଭକ୍ତିପ୍ରଣତି ଜଣାଇ ସାଧାରଣ ଲୋକଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ। ମୁଖ୍ୟମନ୍ତ୍ରୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବନ୍ଦୋବସ୍ତ କରିବାକୁ ପଡି ନଥିଲା। ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହିତ ଏକାକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତଙ୍କ ଗହଣରେ ମନ୍ଦିର ଚତୁପାର୍ଶ୍ବ ପରିକ୍ରମା କରିଥିଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳ ଆଳତୀ ସମୟରେ ଚାରି ଦ୍ବାର ଖୋଲିବା ପାଇଁ ଗତକାଲି ବିଳମ୍ବିତ ରାତ୍ରୀରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ । ବିଳମ୍ବିତ ରାତ୍ରୀ ସତ୍ତ୍ବେ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯିବା ବାଟରେ ସ୍ଥାନେ ସ୍ଥାନେ ମିଳିଥିଲା ଉଚ୍ଛସିତ ସମ୍ବର୍ଦ୍ଧନା। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବାଟରେ ଲୋକଙ୍କ ସହିତ ମିଶିଥିଲେ । ସାଧାରଣ ଜନତା ଅନୁଭବ କରୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ।

ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ଥିବା ଲୋକସେବା ଭବନକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ କଟକଣାକୁ ଉଠାଇ ଥିଲେ । ଲୋକସେବା ଭବନ ଠାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୩ ଘଣ୍ଟା ସମୟ ଧରି ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ଠାରେ କ୍ୟାବିନେଟ ବୈଠକରେ ୪ ଗୋଟି ଜନକୈନ୍ଦ୍ରୀକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ବିଷୟରେ ସୂଚନା ଦେଇଥିଲେ।

ପୁରୀରୁ ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ଯାଇଥିଲେ । ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ସୁଆଣ୍ଡୋ ଗ୍ରାମ ବୁଲି ଲୋକଙ୍କ ସହିତ ମିଶିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଗହଣରେ ପାଇ ଗ୍ରାମବାସୀଙ୍କ ମନରେ ଆସିଥିଲା ଅଭୂତପୂର୍ବ ଉତ୍ସାହ। ବହୁତ ଖୁସି ହୋଇଯାଇଥିଲେ ସେମାନେ । କାରଣ ପୂର୍ବରୁ ଏହିଭଳି କାର୍ଯ୍ୟକ୍ରମରେ ସେମାନେ ବ୍ୟାପକ କଟକଣାର ସମ୍ମୁଖୀନ ହେଉଥିଲେ । ସେମାନେ ଅନୁଭବ କରିଛନ୍ତି ଯେ ସରକାର ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ଲୋକଙ୍କ ସହିତ ଅଛନ୍ତି ସରକାର।

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଭରସା ସୃଷ୍ଟି କରିବା ପାଇଁ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି । ସାଧାରଣ ଲୋକଙ୍କ ହିତକୁ ଆଖି ଆଗରେ ରଖି ଏସବୁ ସ୍ଥାନୀତ କରାଯାଇଛି । ଖୁବଶୀଘ୍ର ଏହି ପ୍ରତିଶୃତି ଗୁଡିକ ପୂରଣ କରାଯିବ ବୋଲି ସେ କହିଥିଲେ ।

ଶିକ୍ଷକତାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରି ପରେ ଜନସେବାକୁ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରଳ ଜୀବନଯାପନରେ ବିଶ୍ବାସ କରନ୍ତି । ଲୋକଙ୍କ ସେବା ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy