ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିପାରେ : ସିଇସି

0 340

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର ପ୍ରଭାବରେ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାଗୁଡ଼ିକୁ ଜୁନ ୯ ଓ ୧୦ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଆରବ ସାଗରର ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଜୁନ ୧୫ ଠାରୁ ବଙ୍ଗୋପସାଗର ଶାଖା ସବଳ ହୋଇ ଓଡ଼ିଶା ତଥା ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି ।

ଜୁ୍‌ନ୍ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୨ ଡିଗ୍ରୀ ରୁ କମ୍ ଏବଂ ଉପକୂଳବର୍ତୀ ଅଂଚଳରେ ୪୦ ଡିଗ୍ରୀ ରୁ କମ୍ ବା ମଧ୍ୟମ ଧରଣର ତାପମାତ୍ରା ରହିବା ସହିତ ପାଗ ଉଷ୍ମ -ଆର୍ଦ୍ର ରହିବ ବୋଲି ସେ କହିଛନ୍ତି ।

ଯଦି ମୌସୁମୀ ଆସିବାରେ ବିଳମ୍ବ ହୁଏ ତେବେ ଜୁନ୍ ୧୨ ରୁ ୧୬ ମଧ୍ୟରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ ।

ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ଷିପ୍ତ ଭାବେ କାଳବୈଶାଖୀ ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଅଂଚଳରେ ଏହାର ପ୍ରବାହ ଅଧିକ ରହିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy