ବନ୍ଧା ହେଲେ ଗ୍ଲୋବାଲ ଫୋକସ ଏଜୁକେସେନର ପୂର୍ବତନ ନିର୍ଦ୍ଦେଶକ

0 3,238

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗ୍ଲୋବାଲ ଫୋକସ ଏଜୁକେସେନ ପ୍ରାଇଭେଟ ଲିମିଟେଡ ଅନୁଷ୍ଠାନର ଡାକ୍ତରୀ ଛାତ୍ରଙ୍କ ଠାରୁ ଲକ୍ଷଲକ୍ଷ ଠକେଇ କରିବା ଅଭିଯୋଗରେ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକଙ୍କୁ ଶହୀଦନଗର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ବାଲିଅନ୍ତାରେ ରହୁଥିବା ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ସ୍ୱାଧିନ ମହାପାତ୍ର । ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ସ୍ୱାଧିନ ୨୦୧୯ ଏପ୍ରିଲରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ଗ୍ଲୋବାଲ ଫୋକସ ଏଜୁକେସେନ ପ୍ରାଇଭେଟ ଲିମିଟେଡରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତେବେ ୟୁକ୍ରେନ ଯୁଦ୍ଧ ବେଳେ ସେଠାରେ ଡାକ୍ତରୀ ଶିକ୍ଷା ନେଉଥିବା ୬୫ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଫେରିଥିଲେ । ହେଲେ ସେମାନେ ଆଉ ୟୁକ୍ରେନ ନଫେରି ଭାରତରେ ପାଠ ପଢିବାକୁ ଚାହିଁଥିଲେ । ୨୦୨୨ ନଭେମ୍ବର ଓ ଡିସେମ୍ବର ମାସରେ ନିର୍ଦ୍ଦେଶକ ସ୍ୱାଧିନ ସେମାନଙ୍କୁ ଟିସି ବା ଟ୍ରାନ୍ସଫର ସାର୍ଟିଫିକେଟ ଆଣିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ପିଲାମାନଙ୍କ ଠାରୁ ୪୩ ହଜାର ୭୨ ହଜାର ଟଙ୍କା ନେଇଥିଲେ ।

ମାତ୍ର ଉକ୍ତ ଟଙ୍କାକୁ ସେ ଅଫିସ ଆକାଉଣ୍ଟରେ ଜମା ନକରି ନିଜେ ଏହାକୁ ହଡପ କରିଥିଲେ । ଟଙ୍କା ନେବା ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଟିସି ଦେଇନଥିଲେ । ଇତି ମଧ୍ୟରେ ସେ ଅନୁଷ୍ଠାନର ଆକାଉଣ୍ଟ ସେଟେଲମେଣ୍ଟ ନକରି ଚାକିରୀ ଛାଡି ଦେଇଥିଲେ । ଛାତ୍ରଛାତ୍ରୀମାନେ ଅନୁଷ୍ଠାନକୁ ବାରମ୍ବାର ଆସିବା ପରେ ଏଥିରେ ଠକେଇ ହୋଇଥିବା ଜଣାପଡିଥିଲା । ପରେ ଅନୁଷ୍ଠାନର ମୁଖ୍ୟ ମିରଜା ଅବଦୁଲ ଜାହିର ଏନେଇ ଶହୀଦନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy