ଜମି ଦେବା ନାଁରେ ଠକେଇ, ଦୁଇ ଗିରଫ

0 3,627

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜମି ଦେବା ନାଁରେ ୪କୋଟି ଟଙ୍କା ଠକି ନେବା ଅଭିଯୋଗରେ ବଡଗଡ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ପୋଲସରାର କେ. ଭୁବନମୋହନ ପାତ୍ର ଓ କେ. ପ୍ରତ୍ୟୁଷାଦେବୀ ପାତ୍ର । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଅଳଙ୍କାର ବ୍ୟବସାୟ ଥିବା ବେଳେ ଗଞ୍ଜାମ ବୁଗୁଡା ଅଞ୍ଚଳରେ ଗଣେଷ ଜୁଏଲାରି ଶୋ-ରୁମ ନାମରେ ଏକ ଦୋକାନ ଅଛି । ସେ ପ୍ରାୟ ସମୟ ଅଳଙ୍କାର ବ୍ୟବସାୟ ନିମନ୍ତେ ଭୁବନେଶ୍ୱର ସହରକୁ ଆସୁଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ଗୋଟିଏ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଏହି ଘନିଷ୍ଠତା ବଢିବା ପରେ ଗତ ମାର୍ଚ୍ଚ ୨୦୨୧ ମସିହାରେ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଭୁବନେଶ୍ୱର ସହର ମଧ୍ୟସ୍ଥ ଏକ କୋଠାଘର ଥିବା ଜମିକୁ ୫ କୋଟି ଟଙ୍କା ମୂଲ୍ୟରେ କିଣିବା ଲାଗି ପ୍ରସ୍ତାବ ଦେଇଥିଲେ ।

ପରେ ଆଲୋଚନା ମାଧ୍ୟମରେ ଉକ୍ତ ଜମିର ମୂଲ୍ୟ ୪କୋଟି ଟଙ୍କା ସ୍ଥିର ହୋଇଥିବା ବେଳେ ଅଭିଯୋଗକାରୀ ଜଣକ ୨୦୨୧ ମସିହାରୁ ଉଭୟ ଅଭିଯୁକ୍ତଙ୍କୁ ବିଭିନ୍ନ ମାଧ୍ୟମରେ ଟଙ୍କା ଦେବା ଆରମ୍ଭ କରିଥିଲେ ଏବଂ ଚଳିତ ବର୍ଷ ମାର୍ଚ୍ଚ ୨୦୨୩ ରେ ଅଭିଯୋଗକାରୀ ଜଣକ ଜମି ବାବଦକୁ ସ୍ଥିର ହୋଇଥିବା ୪ କୋଟି ଟଙ୍କା ଦୁଇ ଅଭିଯୁକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଦେଇଥିଲେ । ଟଙ୍କା ଦେବା ପରେ ଜମି ରେଜିଷ୍ଟ୍ରେଶନ କରିବା ଲାଗି କହିବାରୁ ଉଭୟ ଅଭିଯୁକ୍ତ ତାଙ୍କ ସହିତ ଖେଳିଥିଲେ ଏବଂ ବିଭିନ୍ନ ପଦବୀର ଲୋକଙ୍କ ସହିତ ଉଭୟଙ୍କର ଚିହ୍ନା ଥିବା କଥା କହି ତାଙ୍କ ଉପରେ ଚାପ ପକାଇବା ସହିତ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ ।

ଅଭିଯୋଗକାରୀ ଜଣକ ପୁଲିସରେ ଅଭିଯୋଗ କରିବେ ବୋଲି କହିବାରୁ ଉଭୟ ଅଭିଯୁକ୍ତ ତାଙ୍କୁ ରେଜିଷ୍‌ଟ୍ରେଶନ କରାଇଦେବା ଲାଗି ପ୍ରତିଶୃତି ଦେଇ ଭୁବନେଶ୍ୱର ଡିଏସଆର କାର୍ଯ୍ୟାଳୟକୁ ଡାକି ସେଠାରେ ଅଧିକ ୫୦ ଲକ୍ଷ ଟଙ୍କା ଦେବାଲାଗି ଦାବି କରିଥିଲେ । ଅଭିଯୋଗକାରୀ ଜଣକ ଦେବା ନିମନ୍ତେ ମନା କରିବାରୁ ଉଭୟ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ମିଶି ଅଭିଯୋଗକାରୀଙ୍କୁ ସେଠାରେ ମାଡ ମାରିବା ସହିତ ଜୀବନରୁ ମାରିଦେବାଲାଗି ପ୍ରୟାସ କରିଥିଲେ ।

ଏହି ଘଟଣାର ଅଭିଯୋଗ ପରେ ବଡଗଡ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଛାନଭିନ୍ନ ସମୟରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ୩୦୦ଗ୍ରାମ ଓଜନର ସୁନା ଗହଣା, ୪୫୦ଗ୍ରାମ ଓଜନର ରୂପ ଗହଣା, ୬୯,୦୦୦ ଟଙ୍କା ଏବଂ ଏକ କାର ଜବତ କରିଥିଲେ । ପଚରା ଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିବା ବେଳେ ଠକେଇ ଟଙ୍କାରେ ସୁନା ଓ ରୂପା ଅଳଙ୍କାର ସବୁ କିଣିଥିବା କଥା ଦର୍ଶାଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy