ଅଡୁଆ ସୂତା ପରି ଛନ୍ଦି ହେଉଛି ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ

0 353

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଅଡୁଆ ସୂତା ପରି ଛନ୍ଦି ହୋଇପଡୁଛି । ପୋଲିସ ଏହି ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରିଥିବା ବେଳେ ରହସ୍ୟ ଖୋଲିବାରେ ବିଫଳ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ଘଟିଥିବା ଦର୍ଶାଯାଇଥିବା ବେଳେ ଘଟଣାଦିନ ହେଲା ନିଶା ସେବନ କରିଥିଲେ କି ନାହିଁ, ତାହା ଅସ୍ପଷ୍ଟ ରହିଛି । ପୁରୁଷ ବନ୍ଧୁ ସହ ତାଙ୍କର ବ୍ରେପଅପ ହୋଇଥିବା ବେଳେ ସେ କାହା ସହିତ ହୋଟେଲକୁୁ ଯାଇଥିଲେ, ତାହାକୁ ନେଇ ପୋଲିସ ଖୋଳତାଡ କରୁଛି । ତେବେ ଭିସେରା ରିପୋର୍ଟ ଆସିଲେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ କିପରି ସ୍ପଷ୍ଟ ହେବ ବୋଲି ପୋଲିସ ଆଶା ରଖିଛି ।

ସୂଚନଥାଉ କି, ଦୀପାଳି ବାର ଓ ହୋଟେଲରେ ଘଟିଥିବା ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ମିଶାଇ ୧୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି । ଏଥିସହ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଜେରା କରାଯାଇଛ । ଜେରା ବେଳେ ପୁରୁଷ ବନ୍ଧୁ ସଞ୍ଜୟ କହିଛନ୍ତି, ଘଟଣାର ୧୫/୨୦ ଦିନ ପୂର୍ବରୁ ତାଙ୍କର ବ୍ରେକଅପ ହୋଇଥିଲା । ବେକ୍ରଅପର କାରଣ ସେ ଅନୀଲ ନାମକ ଜଣେ ଯୁବକଙ୍କ ସହ ମିଳାମିଶା କରୁଥିଲା । ଏପରିକି ତା ସହିତ ହୋଟେଲ ଯିବା ସହ ଦୁହେଁ ଲିଭ୍‌-ଇନ-ରିଲେସନ୍‌ସିପରେ ରହୁଥିଲେ ।

ଏଥିସହିତ ଶୁଭଲକ୍ଷ୍ମୀ ବାରରେ ଡ୍ୟାନ୍ସ କରୁଥିବା ନେଇ ଏକ ସାଂଘାତିକ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଭଲକ୍ଷ୍ମୀଙ୍କ ଉପରେ ବାରରେ ଟଙ୍କା ଉଡୁଥିଲା । ତେବେ ମୃତ୍ୟୁ ପୂର୍ବରୁ ଥରୁଟିଏ ମଧ୍ୟ ସେ ଶୁଭଲକ୍ଷ୍ମୀଙ୍କ ସହ କଥା ହୋଇନଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି । ପୁରୁଷ ବନ୍ଧୁଙ୍କ ବୟାନକୁ ପୋଲିସ ଅନୁଧ୍ୟାନ କରୁଥିବା ବେଳେ ଅନୀଲକୁ ଖୋଜୁଛି । ଅନୀଲ ମିିଳିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଦୀପାଳି ହୋଟେଲର ୨୦୫ ନମ୍ବର ରୁମ ଭିତରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସିଥିଲେ । ସେ ୨୦୫ ନମ୍ବର ରୁମ୍ ବୁକ୍ କରି ସେଠାରେ ବିଶ୍ରାମ ନେବାକୁ ଯାଇଥିଲେ । କିନ୍ତୁ ଶନିବାର ସକାଳେ କି ମଧ୍ୟାହ୍ନ ସମୟରେ କବାଟ ନ ଖୋଲିବାରୁ ସନ୍ଦେହ ବଢିଥିଲା । ଏହାପରେ ସେ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ ଆସି ରୁମର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ଅବସ୍ଥାରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା । କିନ୍ତୁ ତାଙ୍କ ବାପା ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy