କଂଗ୍ରେସ ଡଙ୍ଗାରେ ବିଜେଡି: ଦିଲୀପ ମଲ୍ଲିକ

0 223

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ୱର ପ୍ରତିଧ୍ୱନିତ ହୋଇଛି । ଲୋକସଭାରେ ବଂଶ ବୁଡିବା ପରେ ଏବେ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ରାଜ୍ୟ ସଭାରେ ବିଜେଡି ସାଂସଦମାନେ ପ୍ରାଣ ବିକଳରେ କଂଗ୍ରେସ ଡଙ୍ଗାରେ ଚଢ଼ିଯାଇଛନ୍ତି ।

ହେଲେ କଂଗ୍ରେସ ଡଙ୍ଗାର ନାବିକ ରାହୁଲ ଗାନ୍ଧୀ ଯାହାଙ୍କର କମ୍ପାସ ନଥିବା କାରଣରୁ ତାଙ୍କ ଦଳ ମଧ୍ୟ ବର୍ତମାନ ଦିଗହରା । ଓଡ଼ିଶାର ଲୋକଙ୍କୁ ବିଜେଡି କେବଳ ରାଜ୍ୟରେ ୨୪ବର୍ଷ ହେଲା ଧୋକ୍କା ଦେଇନାହିଁ ବରଂ ଦିଲ୍ଲୀ ଦରବାରରେ ରାଜ୍ୟର ସ୍ୱାର୍ଥ କଥା ଉଠାଇବାରେ ମଧ୍ୟ ବିଫଳ ହୋଇଛି । ବିଜେଡି ଓଡ଼ିଶାରେ ନିଜର ରାଜନୈତିକ ପ୍ରାସଙ୍ଗିକତା ହରାଇବସିଲାଣି ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

ବିଜେଡି ସରକାର ସମୟରେ ପ୍ରତିବର୍ଷ ପୁଞ୍ଜା ପୁଞ୍ଜା ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ଥିଲେ । ତାଙ୍କରି ବିଭାଗ ଅଧିନରେ ଥିବା ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସଏସଏସ୍‌ସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ସହିତ “ଜବ୍ ଫର୍ ସ୍କାମ୍‌” ର‌୍ୟାକେଟ୍ କଥା ସାମ୍ନାକୁ ଆସିଥିଲା । ବିଜେଡି ସରକାର ସମୟରେ ଚାଲିଥିବା “ଜବ୍ ଫର୍ ସ୍କାମ୍‌” ର‌୍ୟାକେଟ୍ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ଯୁବତୀ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ହରାଇଥିଲେ ।

କିନ୍ତୁ ଏପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା କୌଣସି ପ୍ରତିକ୍ର୍ରିୟା ବି ପ୍ରକାଶ କରିନଥିଲେ । ସେହିଭଳି ପ୍ରତିବର୍ଷ ମାଟ୍ରିକ୍ ଠାରୁ ଆରମ୍ଭ କରି +୨ ଓ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ କେଉଁଠି ଥିଲେ ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy