ସୁରଙ୍କ କଂଗ୍ରେସ ମୋହ: ୫ରେ ଧସେଇ ପଶିବେ!

0 643

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ଓରଫ ସୁରଙ୍କର କଂଗ୍ରେସ ମୋହ ଛାଡିନି । ବିଜେଡି ପାଇଁ ପ୍ରଚାର କରି ଦଳରୁ ନିଲମ୍ବିତ ହୋଇଥିବା ସୁର କଂଗ୍ରେସ ଭବନକୁ ମନ୍ଦିର ସହ ତୁଳନା କରିବା ସହ ଆସନ୍ତା ୫ ତାରିଖରେ ଧସେଇ ପଶି ପୁଣି ଥରେ ଭବନର ଗାରିମା ଫେରାଇ ଆଣିବାକୁ ଉଦ୍ୟମ କରିବେ । ଏନେଇ ସୁର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଯୋଜନା ସଫଳ ହେଲେ ସୁର ପୁଣି କଂଗ୍ରେସକୁ ଫେରିବେ ବୋଲି ଆଶା ରଖିଛନ୍ତି ।

ସୂଚନା ଅନୁସାରେ, ଦଳ ବିରୋଧି କାର୍ଯ୍ୟ ଯୋଗୁଁ ନିକଟରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମହିଳା କଂଗ୍ରେସର ସାଧାରଣ ସମ୍ପାଦକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଏହାର ପ୍ରତିବାଦରେ ମହିଳା ନେତା ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନର ଅଫିସରେ ତାଲା ପକାଇବା ସହ ଅନଶନରେ ବସିଛନ୍ତି । ଫଳରେ ଆଜିକୁ ୮/୯ ଦିନ ହେଲା କଂଗ୍ରେସ ଭବନରେ ଏକ ଅଶାନ୍ତିର ବାତାବରଣ ଲାଗି ରହିଛି । ଏହି ନାରୀ ନେତ୍ରୀଙ୍କୁ ପ୍ରଚ୍ଛଦ ପଟରେ ନିଲମ୍ବିତ ହୋଇଥିବା ଜଣେ ଯୁବନେତା ସହଯୋଗ କରୁଥିବା ଜଣାପଡିଛି ।

ଆସନ୍ତା ୬ ତାରିଖରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ କଂଗ୍ରେସ ଭବନକୁ ସ୍ୱଭାବିକ ଅବସ୍ଥାକୁ ଆଣିବାକୁ ଦଳର ନେତୃବୃନ୍ଦ ଚେଷ୍ଠା ଚଳାଇଛନ୍ତି । ଏହା ଜାଣିବା ପରେ ସୁର ରାଉତରାୟ ତତ୍ପର ହୋଇଉଠିଛନ୍ତି । କଂଗ୍ରେସ ଭବନକୁ ସ୍ୱଭାବିକ ସ୍ଥିତିକୁ ଆଣିବା ଓ ଅନଶନରେ ବସିଥିବା ନାରୀନେତ୍ରୀଙ୍କୁ ତଡିବା ଲାଗି ସୁର ତୁରନ୍ତ ଏକ ଜରୁରୀ ବୈଠକ ଡାକିଥିଲେ । ବୈଠକରେ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୫ ତାରିଖରେ ୫ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ମହିଳା ଏକଜୁଟ ହୋଇ ଅନଶନରେ ବସିଥିବା ନାରୀନେତ୍ରୀଙ୍କୁ ବିତାଡିତ କରିବା ସହ ତାଲା ଖୋଲି କାର୍ଯ୍ୟାଳୟକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରିବେ । କଟକ, ଭୁବନେଶ୍ୱର ଓ ଜଟଣୀରୁ ହଜାର ହଜାର କର୍ମୀ ଏହି ସମାବେଶରେ ଯୋଗ ଦେବେ । ଯଦି ସୁରଙ୍କ ଏହି ସଫଳ ହୁଏ, ତେବେ ସଭାପତି ଶରତ ପଟ୍ଟନାୟକ ତାଙ୍କ ଉପରୁ ନିଲମ୍ବନ ଉଠାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ତେବେ ଦେଖାଯାଉ, ସୁରଙ୍କ ଏହି ଯୋଜନା କେତେ ସଫଳ ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy