ପ୍ରଥମ ପର୍ଯ୍ୟାୟ ଭୋଟ: କଡା ସୁୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୧୭ ହଜାର ପୋଲିସ

0 277

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଅର୍ଥାତ ସୋମବାର ଦିନ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିବେ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳହାଣ୍ଡିବାସୀ କାଲି ଭୋଟ ଦେବେ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସୁରକ୍ଷାକୁ ନେଇ ଡିଜିପି ଅରୁଣ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି, ନିର୍ବାଚନରେ ୧୭ ହଜାର ପୋଲିସ ଫୋର୍ସ ମୁତୟନ ହେବେ । ୯ଟି ଜିଲ୍ଲାର ୬୨୮୨ ଲୋକେସନ୍‌ରେ ଥିବା ୭୨୯୮ ପୋଲିଂ ବୁଥରେ ଭୋଟିଂ ହେବ । ଏହା ମଧ୍ୟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୩୭ଟି ପୋଲିଂ ବୁଥ ରହିଛି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୋଟ ୧୭ ହଜାର ପୋଲିସ ଫୋର୍ସ ରହିବେ । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ ଏସଏପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ।

୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ । ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ତିଆରି କରାଯାଇଛି । ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକ୍‌ପୋଷ୍ଟରେ ସିସିଟିଭି ରହିଛି । ୫୦ଟି ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ମଧ୍ୟ ଯାଞ୍ଚ କଡାକଡି କରାଯାଉଛି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୧୦ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୧୯୫ ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି । ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌କୁ ସୁରକ୍ଷିତ ରଖାଯିବ । ଇଭିଏମଲ ଇନର ସର୍କଲ ଦାୟିତ୍ୱରେ ଅର୍ଦ୍ଧସାମରିକ ଓ ଆଉଟର ସର୍କଲ ଦାୟିତ୍ୱରେ ଏସଏପି ରହିବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ ନକ୍ସଲ ପ୍ରଭାବିତ ଜିଲ୍ଲା । ତେଣୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ନୂଆପଡାର ସୁନାବେଡାକୁ ୭ଟି ପୋଲିଂ ପାର୍ଟି ହେଲିକପ୍ଟରରେ ଯାଇଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ନିର୍ବାଚନ କମିଶନ ଗୋଟିଏ ହେଲିକପ୍ଟର ଦେଇଛନ୍ତି । ସିଇଓ ମଧ୍ୟ ଏକ ଏୟାର ଆମ୍ଭୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପ୍ୟାଟ୍ରୋଲିଂ ପାର୍ଟି ।

ଭୋଟ ହେବାକୁ ଥିବା ୯ ଟି ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ଆଲୋଚନା ହୋଇଛି । ଅତିରିକ୍ତ ଡିଜି ଅପରେସନ ଦେବଦତ୍ତ ସିଂହ ଏ ସବୁକୁ ମନିଟର କରୁଛନ୍ତି ବୋଲି ଡିଜିପି କହିଛନ୍ତି ।

ଡିଜିପି ଅରୁଣ ଷଡଙ୍ଗୀ ଆହୁରି କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ୱାରେଣ୍ଟ ଇସ୍ୟୁ ହୋଇଛି । ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି । ୩୯ ହଜାର ପ୍ରୋସିଡିଂ ଜରିଆରେ ୪୭ ହଜାର ଲୋକଙ୍କ ଠାରୁ ବଣ୍ଡ ନିଆଯାଇଛି । ୭ ଜଣଙ୍କୁ ଏନଏସଏରେ ବୁକ କରାଯାଇଛି । ୨୩୯ ଜଣଙ୍କ ଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି ।

୪ ଲକ୍ଷ ୫୦ ହଜାର ଲିଟର ମଦ ଜବତ କରାଯାଇଛି । ୨୨ ହଜାର ଏନଡିପିଏସ୍ କେସ ହୋଇଛି । ୭ ହଜାର କ୍ୱିଣ୍ଟାଲ ଗଞ୍ଜେଇ, ସାଢେ ୪ କେଜି ବ୍ରାଉନସୁଗର ଓ ୩୬୫୦ ଲିଟର କଫସିରଫ ଜବତ କରାଯାଇଛି । ଏସଏସଟି ପକ୍ଷରୁ ଚେକିଂ ବେଳେ ଗାଡି ଭିତରୁ ୪ କୋଟିରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ ହୋଇଛନ୍ତି । ସାରା ରାଜ୍ୟରେ ୧୯ଟି ନିର୍ବାଚନ ସମ୍ବନ୍ଧୀୟ କେସ ରୁଜୁ ହୋଇଥିବା ସେ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy