ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା
ଭୁବନେଶ୍ୱର, (ରିପୋଟର୍ସ ପେନ୍): ବରିଷ୍ଠ ପ୍ରଶାସକ ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନରେ ଶ୍ରୀ ଆହୁଜା ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ଶ୍ରୀ ଆହୁଜା ଚଳିତ ବର୍ଷ ଡିସେମ୍ବରରେ ସରକାରୀ ଚାକିରିରୁ ଅବସର ନେବେ। ଅବଶ୍ୟ ତାଙ୍କର କାର୍ଯ୍ୟକାଳକୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ବୃଦ୍ଧି କରିପାରନ୍ତି। ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ଶେଷ ହୋଇଯାଇଥିବାରୁ ଏବେ ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ ହେବା ଏକ ପ୍ରକାର ନିଶ୍ଚିତ। ଏମିତିକି ଉନ୍ନୟନ କମିଶନରଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ।