ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ: ମନମୋହନ

0 108

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ ତାଙ୍କ ୧୧୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଦେଶବାସୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ କାର୍ଯ୍ୟକ୍ରମ”କୁ ବିଜେପିର ରାଜ୍ୟ ନେତୃମଣ୍ଡଳୀ ଶୁଣିଥିଲେ ।

ଦେଶବାସୀ ଗତ ଫେବୃୟାରୀରୁ ଏହି କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲେ । ଆଜିର “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି, ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏଥିସହ ନମୋ ଆପ୍ କିମ୍ବା ୧୮୦୦୧୧୭୮୦୦ରେ ମେସେଜ୍ କରି ତାଙ୍କ ରେଡିଓ ପ୍ରସାରଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମଥର ପାଇଁ ମାସିକ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି । ଏଥିରେ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ କହିଛନ୍ତି ।

ଶ୍ରୀ ସାମଲ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଦେଶ ତଥା ସାରା ବିଶ୍ୱରେ ରହିଛି । ଜଣେ ସାଧାରଣ ଲୋକଟି ନିଜର ଅସାଧାରଣ କାର୍ଯ୍ୟ ପାଇଁ ସମାଜରେ ବିଶେଷ ସ୍ଥାନ ଅର୍ଜନ କରିବା ସହିତ ନିଜ ଅଂଚଳ ତଥା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବାରେ ‘ପ୍ରଧାନମନ୍ତ୍ରୀ ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ସର୍ବାଦା ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ୱ ଦେଇଛନ୍ତି । ସେ ରଥଯାତ୍ରାର ମହାନ୍ ସଂସ୍କୃତିକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହି କୋଟି ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ।

ଏହି ଅବସରରେ ବିଜେପିର ନବନିର୍ବାଚିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତି ପରିଡାଙ୍କ ସମେତ ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀମଣ୍ଡଳ ସଦସ୍ୟ, ଲୋକସଭା ଓ ରାଜ୍ୟସଭା ସଦସ୍ୟ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି ଓ ବିଜେପିର ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy