ସମୀରଙ୍କ ଭଳି ଦଶା ଭୋଗିବେ ବାପି!

0 2,729

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାସଙ୍କ ଭଳି ଦଶା ଭୋଗିବେ ଚାନ୍ଦବାଲି ବିଧାୟକ ବାପି ଓରଫ ବ୍ୟୋମକେଶ ରାୟ! କାରଣ ବିଭିନ୍ନ ସମୟରେ ବିଜେଡିକୁ ଲଜ୍ଜିତ କରିଥିବା ନେତାଙ୍କୁ ପଦରୁ ହଟାଇବାକୁ ଦଳରେ ରଣନୀତି ପ୍ରସ୍ତୁତ ହେଉଛି । ସମୀର କ୍ଷମତାରେ ଥାଇ ମଧ୍ୟ ବିଜେଡି ହାତରୁ ଗୋଟିଏ ଜିଲ୍ଲାପରିଷଦ ସିଟ୍ ଖସିଯିବାରୁ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ତେବେ ବ୍ୟୋମକେଶଙ୍କ ପାଇଁ ଧାମନଗର ବିଧାନସଭା ଆସନ ହାତଛଡା ହୋଇଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଦଳ ଭିତରେ ବିଦ୍ରୋହ ନିଆଁ କୁହୁଳିବାରେ ଲାଗିଛି । ଏଥିପାଇଁ ବାପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ଭିତରୁ ଏକ ପ୍ରକାର ଆଭାସ ମିଳିଛି ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ନିମାପଡାର ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କୁ ଅକାଳ ମୃତ୍ୟୁ ପରେ ସେଠାରେ ଉପ-ନିର୍ବାଚନ ହୋଇଥିଲା । ଏହି ଜୋନରୁ କ୍ରମାଗତ ଭାବେ ବିଜେଡି ବିଜୟ ଲାଭ କରିଆସୁଥିଲା । ହେଲେ ଗତ ମେ’ ୨ ତାରିଖରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏକ ଲଜ୍ଜାଜନକ ଭାବେ ପରାଜିତ ହୋଇଥିଲା । ବିଜେଡିର ଏଭଳି ପରାଜୟ ପାଇଁ ସ୍ଥାନୀୟ ନେତାମାନେ ସିଧାସଳକ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିଥିଲେ । ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରିବା ଓ ଲୋକଙ୍କ ସହ ନରହିବାର ଏହା ପରିଣାମ ବୋଲି ସ୍ଥାନୀୟ ନେତା ମତ ଦେଇଥିଲେ । ଏହା ପରେ ଦଳ ସମୀରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଲା, ତାହା ସମସ୍ତଙ୍କୁ ଜଣା ।

ସେହିପରି ବିଧାୟକ ତଥା ବିରୋଧ ଦଳ ମୁଖ୍ୟ ସଚେତନ ବିଷ୍ଣୁସେଠୀଙ୍କ ପରଲୋକ ପରେ ଧାମନଗର ବିଧାନସଭାର ଉପ-ନିର୍ବାଚନ ହୋଇଥିଲା । କ୍ରମାଗତ ଭାବେ ଉପ-ନିର୍ବାଚନରେ ବିଜେଡି ବାଜିମାତ କରୁଥିବା ବେଳେ ଧାମନଗରରେ ମାଟି କାମୁଡିଥିଲା । ବିଜେପିର ବାଜିମାତ ପରେ ବିଜେଡିର ବିଜୟଧାରାରେ ରୋକ ଲାଗିଥିଲା । ଏପରିକି ଶାସକ ଦଳ ଉପ-ନିର୍ବାଚନରେ ହାରିବା ବିଜେଡିକୁ ଶକ୍ତଧକ୍କା ଦେଇଥିଲା । ଧାମନଗର ଉପ-ନିର୍ବାଚନରେ ବିଜେଡି ହାରିବା ପରେ ଏହାକୁ ନେଇ ଦଳ ଭିତରେ ଅଙ୍କକଷା ହୋଇଥିଲା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରର୍ଯ୍ୟାୟ କ୍ରମେ ଏହି ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିଥିଲେ ।

ଆଲୋଚନା ପରେ ଟିକେଟ ପାଇଁ ଜିଦ ଧରିବା ଓ ଦାୟିତ୍ୱରେ ଥିବା ଦୁଇ ବିଧାୟକଙ୍କ ଯୋଗୁଁ ଦଳ ହାରିଥିବା ଜଣାପଡିଥିଲା । ପରେ ବାପି ରାୟ ସମେତ ଦୁଇ ବିଧାୟକଙ୍କ ଉପରେ ଦଳର ସଭାପତି ନବୀନ ପଟ୍ଟନାୟକ ଖପ୍ପା ହୋଇଥିଲେ । ବିଶେଷ କରି ବିଧାୟକ ବାପି ରାୟଙ୍କୁ କୌଣସି ବଡ ଦାୟିତ୍ୱ ନଦେବାକୁ ମୁଖ୍ୟମନ୍ତ୍ରୀ କହିଥିବା ସେତେବେଳେ ଚର୍ଚ୍ଚା ମଧ୍ୟ ହୋଇଥିଲା । ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନୀତିରୁ ଦୂରେଇ ବିଜେଡି ଏବେ ‘ସ୍ଲୋ-ପଏଜନ ଗେମ’ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି ।

ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ବାପିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ନିଷ୍ପତ୍ତି ନିଆସରିଛି । ଏବେ ଦଳରେ ସୌମ୍ୟ ଝଡ ବହୁଥିବାରୁ ତାଙ୍କ ପ୍ରତି ଦୃଷ୍ଟି ଦିଆଯାଉନାହିଁ । ହେଲେ ଖୁବଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପକ୍ଷରେ ବାପି ମଧ୍ୟ ପୂର୍ବଭଳି ଆଉ ଯୁବ-ସଙ୍ଗଠନକୁ ସୁଦୃଢ କରିବାକୁ ପ୍ରୟାସ କରୁନାହାନ୍ତି । ଫଳରେ ଯୁବ-ସଙ୍ଗଠନରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । ଯଦିଓ କେହି ସଙ୍ଗଠନ ବିରୋଧରେ ମୁହଁ ଖୋଲୁ ନାହାନ୍ତି, ତଥାପି ଭିତରେ ଭିତରେ ଚାପା ଗୁଞ୍ଜରଣ କୁହୁଳିବାରେ ଲାଗିଛି । ସେପଟେ ଦଳ ମୁଖିଆଙ୍କ ଅସନ୍ତୋଷ ଓ ସଙ୍ଗଠନରେ ଫାଟ ଯୋଗୁଁ ଦଳ ଏବେ ନୂଆ ଯୁବ-ସଭାପତି ତଲାସରେ ରହିଛି । ତେଣୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଅନୁଗତଙ୍କୁ ଯୁବ ସଂଗଠନ ଗୁରୁଦାୟିତ୍ୱ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଥିବା କୁହାଯାଉଛି ।

ନିଜର ପକ୍ଷଛେଦନ ଲାଗି ଦଳ ପ୍ରସ୍ତୁତ ହେଉଥିବା ବେଳେ ବାପି ନିଜର ସ୍ଥିତି ରକ୍ଷା କରିବାକୁ ସୋସିଆଲ ମିଡ଼ିଆକୁ ଅସ୍ତ୍ର କରିଛନ୍ତି । କେତେକ ୱେବ ମିଡ଼ିଆରେ ବାପି ନିଜ ସପକ୍ଷରେ ‘ପେଡ’ ନ୍ୟୁଜ କରୁଥିବା କୁହାଯାଉଛି । ହାତଗଣତି ଜଣେ/ଦୁଇଜଣଙ୍କୁ ବାପି ମାସିକିଆ ଦେଇ ତାଙ୍କ ସପକ୍ଷରେ ମତ ଯୋଗାଡ କରୁଥିବା ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ବାପିଙ୍କ ଏଭଳି ଆଦବ କାଇଦା କେତେ ଫଳପ୍ରଦ ହେଉଛି?

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy