ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

0 173

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଗତ ୧୦ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦୃତଗତିରେ ଆଗକୁ ବଢ଼ିଛି । ସାରା ବିଶ୍ୱରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି । ସମଗ୍ର ବିଶ୍ୱ ଆଜି ମୋଦିଜୀଙ୍କ ସାହାଯ୍ୟ ଲୋଡୁଛି । ବିଶ୍ୱର ୫ମ ଅର୍ଥନୀତି ରାଷ୍ଟ୍ରରୁ ୩ୟ ରାଷ୍ଟ୍ର ହେବାକୁ ଯାଉଛି । ଭାରତବର୍ଷ ଦୃତ ଗତିରେ ଆଜି ପ୍ରଗତି ପଥେ । ୨୫ କୋଟିରୁ ଉର୍ଦ୍ଧ୍ୱ ଗରୀବ ସୀମାରେଖାରୁ ବାହାରକୁ ଆସିଛନ୍ତି । କିନ୍ତୁ ଓଡ଼ିଶାର ବିକାଶ ବହୁ ପଛରେ ପଡିଯାଇଛି । ୨୫ ବର୍ଷର ବିଜେଡି ଶାସନରେ ଓଡିଶାର ଅନେକ ବିକାଶ ସ୍ତମ୍ଭ ହୋଇଥାନ୍ତା । କିନ୍ତୁ ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଆଦି ବାଧକ ସାଜିଥିବାରୁ ରାଜ୍ୟର ବିକାଶ ସମ୍ଭବ ହେଲା ନାହିଁ । ସ୍ଥାଣୁ ପାଲଟିଥିବା ବିଜେଡି ସରକାରରେ ଓଡିଶାର ବିକାଶ ଆଦୌ ସମ୍ଭବ ନୁହେଁ । ଓଡିଶାରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ । ସେଥିପାଇଁ ଚଳିତ ନିର୍ବାଚନରେ “୨ ଥର ପଦ୍ମ, ୨ ଗୁଣା ବିକାଶ; ଓଡିଶାରେ ହେବ ବିଜେପି ସରକାର” ବୋଲି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରପଡା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୨୫ ବର୍ଷର ବିଜେଡି ଶାସନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀକୁଳ । ୩୫ ପ୍ରତିଶତ ଚାଷ ଜମି ଜଳସେଚନ କରିବାର ପ୍ରତିଶୃତିକୁ ପୁରଣ କରିବାରେ ବିଫଳ ବିଜେଡି ସରକାରର ଚାଷୀମାରଣ ନୀତି କାରଣରୁ ଚାଷୀଙ୍କୁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିଲା ନାହିଁ । କୃଷି ଯନ୍ତ୍ରପାତି ଦୁର୍ନୀତିରେ ବିଜେଡିର ନେତାଙ୍କ ସଂପୃକ୍ତି ଅତ୍ୟନ୍ତ ଲଜ୍ଜାଜନକ । ବିଜେପି ଶାସନରେ ଚାଷୀକୁ ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ, ୪୮ ଘଂଟା ଭିତରେ ଡିବିଟି ଜରିଆରେ ଚାଷୀଙ୍କ ବ୍ୟାଂକ ଖାତାକୁ ଟଙ୍କା ପହଂଚିଯିବ । ୨୦୨୯ ସୁଦ୍ଧା ୩ଗୁଣା ଚାଷଜମି ଜଳସେଚିତ କରାଯିବ । ଅଣ ଉତ୍ପାଦନ ସମୟରେ ମତ୍ସଜୀବୀକୁ ୧୦ହଜାର ଟଙ୍କାର ସହାୟତା ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ସରକାରୀ ପଦବୀକୁ ଯଥାଶୀଘ୍ର ପୁରଣ କରାଯିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରାଯିବା ପାଇଁ ବିହୀତ ପଦକ୍ଷେପ ନିଆଯିବ । ଭିତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ । । ବିଜେପି ସରକାର ଆସିଲେ ଓଡ଼ିଶାରେ ୭୫ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପ ନେଇ ଶିଳ୍ପ କରିଡର ପ୍ରତିଷ୍ଠା ହେବ । ୮୫ ହଜାର ସରକାରୀ ପଦବୀ ପୁରଣ କରାଯିବା ସହିତ ୧.୫ ଲକ୍ଷ ନୂତନ ନିଯୁକ୍ତି ଦିଆଯିବ । ନିଯୁକ୍ତିରେ ଓବିସି ଓ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଗତ ଦୁଇ ଦିନ ତଳେ ସଂକଳ୍ପ ପତ୍ରକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଲୋକାର୍ପିତ କରିଛନ୍ତି । ସମଗ୍ର ଦେଶ ସମେତ ଓଡ଼ିଶାରେ ବି ମୋଦି ଲହର ଚାଲିଛି । ପ୍ରତିଦିନ ଶହ ଶହ ନେତା, କର୍ମୀମାନେ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି । ଜୁନ ୪ରେ ବିଜେଡି ସରକାରର ଅନ୍ତ ହେବ ଓ ୧୦ତାରିଖରେ ଓଡ଼ିଶାରେ ଶପଥ ନେବ ବିଜେପି ସରକାର । ରାସନ, ଆବାସ ଘର ସବୁ କେନ୍ଦ୍ର ସରକାର ଦେଉଛନ୍ତି । ମନରେଗା, ମିଶନଶକ୍ତି ଭଳି ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ସରକାର ପରାଜୟ ଭୟରେ ମିଛ ପ୍ରଚାର କରୁଛି । ଯାହା ସଂପୂର୍ଣ୍ଣ ଅମୂଳକ ଓ ଭିତିହୀନ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମୁଖପାତ୍ର ସୁଦୀପ୍ତ ରାୟ, ମନୋଜ ମହାପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy