ଗରିବ ଲୋକମାନେ ଆତ୍ମନିର୍ଭର ହେଲେ ହିଁ ବିକଶିତ ଭାରତ ସମ୍ଭବ -ଧର୍ମେନ୍ଦ୍ର

0 475

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗରିବଙ୍କୁ ଆତ୍ମନିର୍ଭର କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । କାରଣ ଗରିବ ଲୋକମାନେ ଆତ୍ମନିର୍ଭର ହେଲେ ହିଁ ବିକଶିତ ଭାରତ କଳ୍ପନା ସମ୍ଭବ ବୋଲି ରବିବାର ଅନୁଗୋଳ ଜିଲ୍ଲା କାଙ୍ଗୁଲା ବେନ୍ତପୁର ଠାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ମୋଦି ସରକାରରେ ମିଳୁଥିବା ସୁବିଧା ଲୋକ ମାନଙ୍କ ବିଶ୍ୱାସ ବଢାଇଛି । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ସବୁ ବର୍ଗର ଉନ୍ନତି ବୋଲି ଲୋକମାନେ କହୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ମିଳୁଛି । ଅନୁଗୋଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ମାଧ୍ୟମରେ ୬୦,୭୩୪ ପରିବାରକୁ ଘର ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆବାସ ସହରାଞ୍ଚଳ ଯୋଜନାରେ ପ୍ରାୟ ୬୦୦୦ଟି ଘର ମଞ୍ଜୁର ହୋଇଛି । ଏହାବ୍ୟତିତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାନ୍ନ, ସ୍ୱଚ୍ଛ ଭାରତରେ ଶୌଚାଳୟ, ଜଳ ଜୀବନ ମିଶନରେ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ, ଉଜ୍ଜ୍ୱଳାରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି । ସୌଭାଗ୍ୟ ଯୋଜନାରେ ବିଜୁଳି, ମୁଦ୍ରା ଯୋଜନାରେ ଋଣ ସହ ମନରେଗାରେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଉଛି । ଏନଆରଏଲଏମରେ ଏସଏଚଜିଙ୍କୁ କମ୍ ସୁଧରେ ଋଣ ଦେଇ ସଶକ୍ତ କରାଯାଉଛି ।

ଅନୁଗୋଳ ରାଜ୍ୟ ରାଜକୋଷକୁ ୬୦ ହଜାର କୋଟି ଟଙ୍କା ଦେଉଛି । ସଡକ ଠାରୁ ରେଳ ପଥ ପର୍ଯ୍ୟନ୍ତ ଭିତ୍ତିଭୂମି ମଜଭୂତ୍ ହୋଇଛି । ତାଳଚେର ସାରଖାନାର ପୁନରୁଦ୍ଧାର ସହ ତାଳଚେର ମେଡିକାଲ ମୋଦି ଗ୍ୟାରେଣ୍ଟିରେ ତିଆରି ହୋଇଛି । ଏହି ସବୁ ଜନକଲ୍ୟାଣକାରୀ ବାର୍ତ୍ତାକୁ ସବୁଠି ପହଞ୍ଚାଇବା ଦିଗରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏକ ମାଧ୍ୟମ ହୋଇଛି । ଗାଁରେ ଗାଁରେ ଏବେ ଭ୍ରମଣ କରୁଥିବା ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ିକୁ ନେଇ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି । କାଙ୍ଗୁଲା ବେନ୍ତପୁର ଠାରେ ଆୟୋଜିତ ସମାବେଶ ବିକଶିତ ଭାରତ ସଂକଳ୍ପ ଯାତ୍ରା ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଭାରତର ଗରିବ ମାନଙ୍କର ଅଶ୍ୱମେଧ ଯଜ୍ଞର ଯାତ୍ରା ଅଟେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ନାଗରିକଙ୍କୁ ବିକଶିତ ଭାରତର ପଞ୍ଚ ପ୍ରଣର ଶପଥ ପାଠ କରାଇବା ସହ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy