‘ପ୍ରକଳ୍ପ ପାଇଁ ଯେଉଁମାନେ ତ୍ୟାଗ କରିଛନ୍ତି, ସେମାନଙ୍କୁ କୃତଜ୍ଞତା’

0 516

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ରାଜ୍ୟ ବାହାରୁ ଆସିଥିବା ନିମନ୍ତ୍ରିତ ଅତିଥି, ମନ୍ତ୍ରୀ, ବିଧାୟକ, ସାଂସଦ, ସାଧୁସନ୍ଥଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୧୭ ତାରିଖରେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଭିଡିଓ ଜରିଆରେ ଓଡ଼ିଆ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜାନୁଆରି ୧୭ ତାରିଖ ଦିନ ଦୀପ ଜାଳିବା, ଶଙ୍ଖ ଫୁଙ୍କିବା ଓ ଘଣ୍ଟ ବଜାଇବା।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୋଟିକୋଟି ପ୍ରଣାମ ଜଣାଇଛନ୍ତି। ସେ କହିଛନ୍ତି, ଜଗନ୍ନାଥଙ୍କ ବିନା ଗଛରେ ପତ୍ରଟିଏ ମଧ୍ୟ ହଲିବ ନାହିଁ। ଏହି ପ୍ରକଳ୍ପ ମହାପ୍ରଭୁଙ୍କ ଇଚ୍ଛାରେ ନିର୍ମାଣ ହୋଇଛି ଓ ଜାନୁଆରି ୧୭ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି। ଆମର ସୌଭାଗ୍ୟ ଯେ, ଆମେ ପରିକ୍ରମା ପ୍ରକଳ୍ପର ସାକ୍ଷୀ ହୋଇପାରିବା। ଶାନ୍ତି ଓ ଦିବ୍ୟ ଆନନ୍ଦର ସହିତ ଭକ୍ତମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିପାରିବେ, ତାହା ହେଉଛି ପରିକ୍ରମା ପ୍ରକଳ୍ପର ମୂଳ ଲକ୍ଷ୍ୟ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସାରା ଓଡ଼ିଶା ପାଇଁ ଉତ୍ସବର ଦିନ। ଏହି ଦିନକୁ ସମସ୍ତେ ମହାପ୍ରଭୁଙ୍କ ଉଦ୍ଦେଶ୍ରରେ ସମର୍ପଣ କରନ୍ତୁ। ଲୋକାର୍ପଣ ଦିନ ସମସ୍ତେ ନିଜ ନିଜ ସ୍ଥାନରେ ଦୀପ ଜାଳିବା, ଶଙ୍ଖ ଫୁଙ୍କିବା ଓ ଘଣ୍ଟ ବଜାଇବା। ଏହି ପ୍ରକଳ୍ପ ଓଡ଼ିଆ ଜାତିର ଇତିହାସରେ ଏକ ଗୌରବମୟ ମୁହୂର୍ତ୍ତ। ପ୍ରକଳ୍ପ ନିର୍ମାଣ ପାଇଁ ଯେଉଁମାନେ ଜମିଦାନ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ଏଥି ପାଇଁ ତ୍ୟାଗ କରିଛନ୍ତି କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy