ଖୋଲିଲା ହୀରାକୁଦ ଗେଟ୍, ମହାନଦୀ ମଧ୍ୟକୁ ନ ଯିବାକୁ ବାରଣ

0 200

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ହୀରାକୁଦ ଜଳ ଭଣ୍ତାରର ଗେଟ୍ ଖୋଲିଲା । ପ୍ରଥମ ପର୍ଯ୍ୟାୟରେ  ହୀରାକୁଦ ଜଳ ଭଣ୍ତାରର ୫ଟି ଗେଟ୍ ଖୋଲାଯିବା ବୋଲି ଜଣାପଡିଛି। ସକାଳ ୯ଟାରେ ଗେଟ ଖୋଲାଯାଇଛି ବୋଲି ସୂଚନା ମିଳିଛି। ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଏହି ୫ଟି ଗେଟ୍ ଦେଇ ନିଷ୍କାସନ ହେଉଛି । ଏଥିପାଇଁ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ପ୍ରଥମେ ୭ ନମ୍ବର ଗେଟ୍‌ ଖୋଲାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।  ଏଥି ପାଇଁ ମହାନଦୀ ମଧ୍ୟକୁ କାହାକୁ ନଯିବା ପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ ଟି ଜିଲ୍ଲାର ଜ଼ିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ମଧ୍ୟ ସତର୍କ କରାଯାଇଛି।

ଖବର ଅନୁଯାୟୀ, ପ୍ରଥମ ଦିନରେ ପ୍ରର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲିଯିବ । ବାମ ପାଶ୍ବରେ ୩ଟି ଓ ଡାହାଣ ପାଶ୍ବରେ ୨ଟି ଗେଟ୍ ଖୋଲିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଏଥିରେ ୭୫ ହଜାର କ୍ୟୁସେକ୍ ଜଳ ନିସ୍କାସିତ ହେବ ।  ଏଥିପାଇଁ ପ୍ରଶାସନିକ ଓ ଜଳ ସମ୍ପଦ ବିଭାଗ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।  ଏପଟେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍‌ରେ ପହଂଚିଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଛି । ଏହି ସମୟରେ ଜଳଭଣ୍ଡାରକୁ ୬୪,୮୦୦ କ୍ୟୁସେକ୍ ଜଳପ୍ରବେଶ କରୁଥିବା ବେଳେ ୪୦,୭୨୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ସେଥିରୁ ୩୭,୩୭୮ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି । ରବିବାର ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ନେଇ ଆକଳନ କରାଯାଉଛି । ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।

ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy