ଉଦ୍‍ଘାଟିତ ହେଲା କିଟ୍‍ ଫେଷ୍ଟର ୭ମ ସଂସ୍କରଣ

0 212

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରତିବର୍ଷ ପରି ଚଳିତବର୍ଷ ଦେଶର ସର୍ବ ବୃହତ ଟେକ୍ନୋ-କଲଚରାଲ୍‍ ଫେଷ୍ଟ କୁହାଯାଉଥିବା କିଟ୍‍ ଫେଷ୍ଟର ୭ମ ସଂସ୍କରଣକୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିଥିଲେ । ଉଦ୍‍ଘାଟନୀ ସଂଧ୍ୟାରେ ସୁହାନା ସଫର ଉଇଥ ରଫି, କିଶୋର, ଲତା ଆଣ୍ଡ କେକେ ସହ ତାଳ ଦେଇ ଝୁମିଥିଲେ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ । ଅତି ଶୃଙ୍ଖଳିତ ଢ଼ଙ୍ଗରେ କିଟ୍‍ ଫେଷ୍ଟ ୨୦୨୪ ଆୟୋଜନ ହୋଇଥିବା ବେଳେ ଆଜି ଦିନ ତମାମ କଳା, ସଂସ୍କୃତି, ସାହିତ୍ୟ ଓ ବୈଷୟିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

କିଟ୍‍ ଫେଷ୍ଟ ହେଉଛି ଭାରତର ସର୍ବ ବୃହତ ଟେକ୍ନୋ-କଲଚରାଲ୍‍ ଫେଷ୍ଟିଭାଲ । କିଟ୍‍ ସମେତ ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସର୍ଜନଶୀଳତା ଓ ଦକ୍ଷତା ପ୍ରଦର୍ଶନ କରିବାର ଏହା ଏକ ପ୍ରତ୍କୃଷ୍ଟ ମଞ୍ଚ । ତିନି ଦିନ ଧରି ଚାଲିବାକୁ ଥିବା କିଟ୍‍ ଫେଷ୍ଟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଷୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନେବେ । ଏଥିରେ ମୋଟ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ୧୫ ତାରିଖରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଳାକାର ନିଉକ୍ଲିଆଙ୍କ ପ୍ରଦର୍ଶନ ରହିଥିବା ବେଳେ ୧୬ତାରିଖ ଷ୍ଟାର ନାଇଟ୍‍ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ଜୁବିନ୍‍ ନଉଟିଆଲ୍‍ ।

କିଟ୍‍ ଫେଷ୍ଟ ୨୦୨୪ରେ କିଟ୍‍ ସମେତ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମୋଟ ୧୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଆଜି ଦିନ ସାରା ପ୍ରତିଯୋଗିତା ଚାଲିଥିଲା । ସେଥିରେ ରହିଛି ଫୁଏଗୋ, ବଜ୍‍ ରାଇଟ୍‍ ଇଅର, କ୍ୱେଷ୍ଟ, ଜରା ନାଚକେ ଦିଖା, ସୋଲୋ, ସ୍ପଟଲାଇଟ୍‍, ମିସ୍‍ ମ୍ୟାଚ୍‍, ମାଇଟି ଷ୍ଟ୍ରକଚର୍‍, ଆଷ୍ଟ୍ରୋ ଲାଇଫ, ନଲେଜ କ୍ଲାସ୍‍, ମାଇଣଡ ମେଜ୍‍, ମେକ ଜିପିଟି, ଟେକାଥଲନ, କ୍ରୋନୋସ, କାଇରସ, କିକ୍‍ଷ୍ଟାର୍ଟ, ପ୍ରେସ ରିଲିଜ ରାଇଟିଂ, ବ୍ରାଣ୍ଡ ସଂଗ୍ରାମ, ରୋବୋରେଜ, ବ୍ରେନ୍‍ ବ୍ଲିଜ୍‍ ଓ ଟ୍ରାକ୍‍ ଟ୍ରେସର୍‍ ଆଦି ୭୦ଟି ବିଭାଗରେ ପ୍ରତିଯୋଗିତା ରହିଛି ।

ଆଜିର ଉଦ୍‍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଅତିରିକ୍ତ କୁଳସଚିବ ଡ. ଶ୍ୟାମସୁନ୍ଦର ବେଉରା ପ୍ରମୁଖ ଉପସ୍ଥିତ ଥିଲେ । କିଟ୍‍ ଫେଷ୍ଟ ପାଇଁ ସମଗ୍ର କିଟ୍‍ ପରିସର ଉତ୍ସବ ମୁଖର ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy