କିମ୍‌ସ : ପଦଯାତ୍ରା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟରେ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ

0 54

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) କ୍ୟାନସର ହସ୍ପିଟାଲ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନ ପଦଯାତ୍ରା କିମ୍‌ସ କ୍ୟାନସର ହସପିଟାଲରୁ ବାହାରି ପଟିଆ ଛକ ପର୍ଯ୍ୟନ୍ତ ଯାଇଥିଲା । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଅଧ୍ୟାପକ, ଛାତଛାତ୍ରୀ ଏବଂ କିମ୍‌ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ବିଶ୍ୱ କର୍କଟ ଦିବସ ଅବ୍ୟବହିତ ପୂର୍ବରୁ  କିମ୍‍ସର ଛାତ୍ରଛାତ୍ରୀମାନେ ନିଳାଦ୍ରୀବିହାରସ୍ଥିତ ଓମ୍‍ଫେଡ଼୍‍ ବସ୍ତିରେ  ପଥପ୍ରାନ୍ତ ନାଟକ ମାଧ୍ୟମରେ କର୍କଟ ରୋଗ ସମ୍ପର୍କରେ ସଚେତନ କରାଇଥିଲେ ।

ବସ୍ତିରେ ଘର ଘର ବୁଲି ଲୋକମାନଙ୍କୁ କ୍ୟାନସର କାରଣ ନିରାକରଣ ବିଷୟରେ କହିଥିଲେ । କ୍ୟାନସର ରୋଗୀଙ୍କ ପ୍ରତି ଥିବା ଘୃଣ୍ୟ ମନୋଭାବକୁ ଦୂର କରିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘କ୍ଲୋଜ ଦ କେୟାର ଗ୍ୟାପ୍‌’ । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ କିମ୍‌ସ କ୍ୟାନସର ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡା ଯୋଗମାୟା ପଟ୍ଟନାୟକ କର୍କଟ ରୋଗ ବିରୋଧରେ ଲଢ଼େଇରେ ସାମୂହିକ ସମ୍ପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ‘କ୍ଲୋଜ୍ ଦି କେୟାର ଗ୍ୟାପ୍‌’ ପଦକ୍ଷେପ କେହି ଯେପରି ଉନ୍ନତ କର୍କଟ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି କହିଥିଲେ ।

ସିନିୟର କନ୍‌ସଲଟାଣ୍ଟ, ସର୍ଜିକାଲ ଅନ୍‌କୋଲୋଜି ଡା. ସବ୍ୟସାଚୀ ପରିଡ଼ା, ଡା. ସଚିନ୍ ବିଶ୍ୱାଳ ଏବଂ କ୍ୟାନସର ହସ୍ପିଟାଲର  ଅନ୍ୟ ପ୍ରମୁଖ ଡାକ୍ତରମାନେ ଉପସ୍ଥିତ ରହି କ୍ୟାନସର ରୋଗ ବିଷୟରେ ସଚେତନ କରାଇଥିଲେ । ଏହି ଅବସରରେ ସେ  ପ୍ରାଥମିକ ଅବସ୍ଥାରେ ଏହାର ଉପଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଅବସ୍ଥାରେ ଏହି ରୋଗ ଅନେକମାତ୍ରାରେ ଆରୋଗ୍ୟ କରିପାରିବ ବୋଲି କହିଥିଲେ । ଏଥିସହ ଏହାର ଚିକିତ୍ସା ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହାର ଚିକିତ୍ସା ଅସ୍ତ୍ରୋପଚାର, ରେଡିଏସନ୍ ବା ବିକୀରଣ ଚିକିତ୍ସା ଓ କେମୋ ଥେରାପି ବା ଔଷଧୀୟ ଚିକିତ୍ସା ଏହା ମଧ୍ୟରୁ କୌଣସି ଏକ ଏକାଧିକ ପଦ୍ଧତି ପ୍ରୟୋଗ କରି, ଏହାର ସଫଳ ଚିକିତ୍ସା କରାଯାଇ ପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍‌ସ ନର୍ସିଂ କଲେଜ୍ ଅଧ୍ୟକ୍ଷ ନିୟତି ଦାସ, ଆସିଷ୍ଟାଣ୍ଟ ପ୍ରଫେସର ସୌମ୍ୟା ସୋନାଲିକା, ଅନ୍ୟାନ୍ୟ ନର୍ସିଂ ଷ୍ଟାଫ୍‌ମାନେ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy