ଗୋଳିଆ ହେଉଛି ଭଦ୍ରକ ପାଣିପାଗ, ବିଜେଡି ପ୍ରାର୍ଥୀକୁ ନେଇ ଦ୍ୱନ୍ଦ୍ୱ

0 4,726

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଅଙ୍କକଷା ମଧ୍ୟ ଜୋରଦାର ଚାଲିଛି । ବିଶେଷ କରି ରାଜ୍ୟର ଏକ ନମ୍ବର ରାଜନୈତିକ ଦଳ ବିଜେଡିରେ ମାଳମାଳ ଆଶାୟୀ ଥିବାରୁ ଏହାକୁ ନେଇ ନେତାଙ୍କ ମଧ୍ୟରେ ଗୋଡ ଟଣାଟଣି ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ବିଜେଡିରୁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଅଣ କଂଗ୍ରେସ ଗଡ ଭାବେ ପରିଚିତ ଭଦ୍ରକ ଆସନକୁ ନେଇ ଏବେ ବିଜେଡି ବିଶେଷ ଭାବେ ଦ୍ୱନ୍ଦ୍ୱରେ ପଡିଯାଇଛି ।

ବର୍ତ୍ତମାନ ଭଦ୍ରକରେ ସଞ୍ଜୀବ ମଲ୍ଲିକ ଓରଫ ବଣୁ ବିଧାୟକ ଅଛନ୍ତି । ମାତ୍ର ତାଙ୍କର ଅପରିପକ୍ୱତା ଓ ତୃଣମୂଳସ୍ତର ଲୋକଙ୍କ ସହ ନଥିବାରୁ ଦଳ ତାଙ୍କ ସପକ୍ଷରେ ନାହିଁ । ଏପରିକି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଭଦ୍ରକ ପୌର ପରିଷଦ ଅଧ୍ୟକ୍ଷା ଗୁଲ୍ଲମକୀ ପର୍ଯ୍ୟନ୍ତ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ଗୁଲ୍ଲମକୀ କହୁଛନ୍ତି, ସଞ୍ଜୀବ ମଲ୍ଲିକଙ୍କ ଛଡା ବିଜେଡି ଯାହାକୁ ପ୍ରାର୍ଥୀ କରିବ, ସେ ତାଙ୍କୁ ସମର୍ଥନ କରିବେ । ହେଲେ ସଞ୍ଜୀବଙ୍କୁ ଖୋଲାଖୋଲି ବିରୋଧ କରିବେ । ଖାଲି ଏତିକି ନୁହେଁ ବରଂ ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକଙ୍କ ଗୋଷ୍ଠୀ ମଧ୍ୟ ତାଙ୍କ ସପକ୍ଷରେ ନାହାଁନ୍ତି । ତେଣୁ ଦଳ ତାଙ୍କୁ ପୁଣି ଥରେ ସୁଯୋଗ ଦେଇ ରିସ୍କ ନେବାକୁ ଚାହିଁବନି ।

ସେପଟେ ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ ମଧ୍ୟ ସେ ଲୋକଙ୍କ ସମର୍ଥନ ପାଇପାରୁନାହାନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ସେ ସଞ୍ଜୀବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ବିରୋଧରେ ଯାଇ କେତେକ ସ୍ଥାନରେ ସ୍ୱାଧିନ ପ୍ରାର୍ଥୀ ଦେଇଥିଲେ । ଫଳରେ ତାଙ୍କ ଯୋଗୁଁ ଦଳକୁ କ୍ଷତି ସହିବାକୁ ପଡିଥିଲା । ତେଣୁ ଦଳ ତାଙ୍କୁ ମଧ୍ୟ ପୂର୍ଣ୍ଣ ଭରସା କରୁପାରୁନାହିଁ । ଏପରିକି ତାଙ୍କୁ ହାତଛଡା କରିବାକୁ ମଧ୍ୟ ଦଳ ଚାହୁଁନାହିଁ । କାରଣ ଭଦ୍ରକରେ ତାଙ୍କର ଅତିକମ୍‌ରେ ୧୫ ହଜାର ପକେଟ ଭୋଟ୍ ଅଛି । ଯାହା ଖସିଯିବାର ଭୟ ରହୁଛି । ତେଣୁ ଦଳ ଅସିତ ଓ ସଞ୍ଜୀବଙ୍କୁ ସନ୍ତୁଷ୍ଠିକରଣ କରି ଜଣେ ନୂଆ ଚେହେରା ସପକ୍ଷରେ ରହିଥିବା ଜଣାପଡିଛି ।

ଏହି ନୂଆ ଚେହେରା ମଧ୍ୟରେ କଂଗ୍ରେସ ରାଜନୀତିରୁ ବିଜେଡିକୁ ଆସିଥିବା ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନାଁ ରହିଛି । ମାତ୍ର ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନାଁ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆସିଛି । କାରଣ ରାଜନୀତି ପରିବାରରୁ ଆସିଥିବା ଓ ଛୋଟ ବେଳରୁ ଲୋକଙ୍କ ସେବା କରିବା ମନୋବୃତ୍ତିି ରଖିଥିବା ଜ୍ୟୋତି ପ୍ରକାଶ ମହାନ୍ତିଙ୍କୁ ତୃଣମୂଳସ୍ତରରୁ ଲୋକେ ଚାହୁଁଛନ୍ତି । ଗତ ୫ବର୍ଷ ହେଲା ସେ ନିର୍ବାଚନ ମଣ୍ଡଳୀର ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଲୋକଙ୍କ ଦୁଃଖ-ସୁଖର ସାଥି ପାଲଟୁଛନ୍ତି । ତାଙ୍କର ସେବା ମନୋବୃତ୍ତି ଯୋଗୁଁ ତୃଣମୂଳସ୍ତରର ଲୋକେ ତାଙ୍କୁ ହିଁ ନିଜର ନେତା ଭାବେ ବାଛି ନେଇଛନ୍ତି । ତେଣୁ ବିଜେଡି ତାଙ୍କୁ ଅଣଦେଖା କରିପାରୁନାହିଁ ।

ଜ୍ୟୋତି ପ୍ରକାଶ ମହାନ୍ତି ପୂର୍ବରୁ ଜିଲ୍ଲା କଂଗ୍ରେସର ଛାତ୍ର ଓ ଯୁବ ସଙ୍ଗଠନରେ କାର୍ଯ୍ୟ କରିସାରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ତାଙ୍କ ଟିକେଟ୍ ଦେଇଥିଲେ ବି ଶେଷ ମୁହୂର୍ତ୍ତରେ କାଟ ଯାଇଥିଲା । ଟିକେଟ କଟିବା ପରେ ସେ କଂଗ୍ରେସରୁ ଅସନ୍ତୋଷ ହୋଇ ବିଜେଡିକୁ ସମର୍ଥନ କରିଥିଲେ । ସେବେଠାରୁ ସେ ବିଜେଡି ସପକ୍ଷରେ ପ୍ରଚାର ପ୍ରସାର କରୁଛନ୍ତି । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ଚେଷ୍ଠା କରୁଥିବା ବେଳେ ଲୋକଙ୍କ ଦୁଃଖସୁଖରେ ସାମିଲ ହୋଇ ବେଶ୍ ପ୍ରସଂଶିତ ହୋଇଛନ୍ତି । ତେଣୁ ବିଜେଡି ତାଙ୍କୁ ମଧ୍ୟ ଅଣଦେଖା କରିନପାରେ ।

ଏଭଳି ଭାବେ ଭଦ୍ରକ ରାଜନୀତି ପାଣିପାଗ ଏକ ପ୍ରକାର ଗୋଳିଆ ହୋଇଯାଇଛି । ଚର୍ଚ୍ଚାରେ ଥିବା ସମସ୍ତ ଅଶାୟୀଙ୍କୁ ନେଇ ଦଳର ତୁଙ୍ଗ ନେତାମାନେ ତର୍ଜମା ଆରମ୍ଭ କରିଛନ୍ତି । ଗୁଇନ୍ଦା ରିପୋର୍ଟ ଓ ତୃଣମୂଳସ୍ତର ଲୋକମତକୁ ନେଇ ବିଚାରବିମର୍ଶ ପରେ ଭଦ୍ରକ ପ୍ରାର୍ଥିତ୍ୱ ନେଇ ସ୍ପଷ୍ଟ ଚିତ୍ର ଆସିବ । ତେଣୁ ଦେଖାଯାଉ ଦଳ କାହାକୁ ପ୍ରାର୍ଥୀ କରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy