ଢାଲିଙ୍କ କ୍ରେଜ : ସପକ୍ଷବାଦୀଙ୍କ ମେଳି, ପର୍ଯ୍ୟବେକ୍ଷକଙ୍କୁ ଭେଟିଲେ

0 294

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ଯେତିକି ପାଖେଇ ଆସୁଛି. ରାଜନୀତି ପାଣିପାଗ ଯେତିକି ଉଷ୍ମ ହେଉଛି । ସାରା ରାଜ୍ୟରେ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀର ରାଜନୀତି ଏବେ ଚର୍ଚ୍ଚାକୁ ଆସିଛି । ବେଶ କିଛିଦିନ ହେଲା ଜୟଦେବ ନିର୍ବାଚନ ମଣ୍ଡଳିରେ ବିଜେଡିର ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା ଲାଗିରହିଛି । ଏପରିକି ବିଧାୟକ ଅରବିନ୍ଦ ଢାଲିଙ୍କୁ ଦଳରେ ଏକ ପ୍ରକାର କୋଣଢେସା କରାଯାଇଥିବା ମଧ୍ୟ କୁହାଯାଉଛି । ତେବେ ଆଜିର ଘଟଣା ପରେ ପୁଣି ଢାଲିଙ୍କର କ୍ରେଜ ଫେରିଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ଗତ ପଞ୍ଚାୟତ ନିର୍ବାଚନ ବେଳେ ଜୟଦେବରେ ଢାଲିଙ୍କ ପତିଆରା ଓ ଲୋକପ୍ରିୟତା ହ୍ରାସ ପାଉଥିବା ଦେଖାଯାଇଥିଲା । ବିଜେଡି ବନାମ ବିଜେଡିର ସହଯୋଗୀ ‘ଆମ ସଙ୍ଗଠନ’ ମଧ୍ୟରେ କଡା ଟକ୍କର ହୋଇଥିଲା । ବିଜେଡି ସଭାକୁ ଢାଲିଙ୍କୁ ବାରଣ କରାଯାଇ ଦଳୀୟ କିଛିନେତା ଆମ ସଙ୍ଗଠନକୁ ସହଯୋଗ କରିବାରୁ ଢାଲିଙ୍କର କ୍ରେଜ କମି ଯାଇଥିଲା । ଏହା ପରଠାରୁ ଆଶା କରାଯାଉଥିଲା ୨୦୨୪ ନିର୍ବାଚନ ବେଳକୁ ଢାଲିଙ୍କର ସତ୍ତା ହଜିଯିବ । କିନ୍ତୁ ଏବେ ଚିତ୍ର ବଦଳିଯାଇଛି ।

ଗତ ଏପ୍ରିଲ ମାସରେ ଘଟିଥିବା ନାମଫଳକ ବିବାଦ ପରେ ଲୋକେ ସଚେତନ ହୋଇଯାଇଛନ୍ତି । ଏଣିକି ଆମ ସଙ୍ଗଠନ ନୁହେଁ ବରଂ ପୁଣି ଢାଲିଙ୍କର କ୍ରେଜ ବୃଦ୍ଧି ପାଇଛି । ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇ ତର୍ଜମା ଓ ଅନୁଧ୍ୟାନ କରାଯାଉଛି । ଲୋକେ କାହାକୁ ସମର୍ଥନ କରୁଛନ୍ତି ଓ ଗ୍ରାଉଣ୍ଡ ଜିରୋରେ କେଉଁ ନେତା ଅଛନ୍ତି, ତାହାର ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀର ହଜାରେରୁ ଅଧିକ ଲୋକେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚୌଧୁରୀ ବାବି ଦାସଙ୍କ ନେତୃତ୍ୱରେ ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର ଜେନାଙ୍କୁ ଭେଟିଛନ୍ତି ।

ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭେଟି ଲୋକେ ଢାଲିଙ୍କୁ ଟିକେଟ ଦେବାକୁ ଦାବି କରିଛନ୍ତି । ଅରବିନ୍ଦ ଢାଲି ଲୋକଙ୍କ ସହ ଅଛନ୍ତି ଓ ଗ୍ରାଉଣ୍ଡ ଜିରୋରେ କାମ କରୁଛନ୍ତି ବୋଲି ସେମାନେ ଦାବି କରିଛନ୍ତି । ଏପରିକି କିଛି ମୁଷ୍ଠିମେୟ ଲୋକ ଢାଲିଙ୍କୁ ବିରୋଧ କରି ଜୟଦେବରେ ଗୁଣ୍ଡାରାଜ ସୃଷ୍ଟି କରିବାକୁ ମସୁଧା କରୁଛନ୍ତି । ଦଳ ଯଦି ଏହାକୁ ସଠିକ ଢଙ୍ଗରେ ତର୍ଜମା ନକରି ଢାଲିଙ୍କୁୁ ଅଣଦେଖା କରେ, ତେବେ ବିଜେଡି ଗୋଟିଏ ସିଟ୍ ହାତଛଡା କରିବ, ଏଥିରେ ସନ୍ଦେହ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ଦଳ ଭିତରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଦେଖାଯାଉ ପର୍ଯ୍ୟବେକ୍ଷକ କି ରିପୋର୍ଟ ଦେଉଛନ୍ତି ଓ ଦଳ କାହାକୁ ଭରସାକୁ ନେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy