ଝାରସୁଗୁଡ଼ା, ବ୍ରଜରାଜନଗରରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର

0 58

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି ।

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି । ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ ।

ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି ।

ସେ ପୁଣି କହିଲେ ଯେ କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ ।

ସେ କହିଲେ ଯେ ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି । ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି । ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ । ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ । ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ? ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି । ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି ।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତମାନଙ୍କର ୫୦-୬୦ ବର୍ଷର ସମସ୍ୟା ଦୂର କରିଛନ୍ତି । ବ୍ରଜରାଜନଗରର ୧୮ଟି ଗାଁର ୨୧୦୦ ବିସ୍ଥାପିତଙ୍କୁ ପଟ୍ଟା ଦିଆଯାଇଛି । ବ୍ରଜରାଜନଗର ମାଁ ରାମଚଣ୍ଡୀ ମନ୍ଦିର ପାଇଁ ୪.୫୦ କୋଟି, କୋଇଲି ଘୁଗର ଇକୋ ଟୁରିଜିମ୍‍ ପାଇଁ ୩ କୋଟି, ଲଖନପୁର ଆଇ.ଟି. ଆଇ ପାଇଁ ୩୦ କୋଟି, ବ୍ରଜରାଜନଗରରେ ଅଡିଟୋରିଅମ ପାଇଁ ୧୦ କୋଟି, ଲଖନପୁରର ୧୬ ଟି ପଞ୍ଚାୟତରେ ପାଇପ୍‍ ପାଣି ପାଇଁ ୧୨୪ କୋଟି, ହାଇସ୍କୁଲ ଓ କଲେଜ ରୁପାନ୍ତର ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି । କାଳିଆ ଯୋଜନାରେ ଏହି ନିର୍ବାଚନ ମଣ୍ଡଳୀର ୩୦,୬୦୦ ଚାଷୀ ଉପକାର ପାଉଛନ୍ତି । BSKYରେ ୬୦,୫୦୦ ଲୋକ ଉପକାର ପାଉଛନ୍ତି ।

ଝାରସୁଗୁଡ଼ାରେ ସ୍ୱର୍ଗତ ନବଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସେ କହିଲେ ଯେ ଝାରସୁଗୁଡ଼ାର ବିକାଶରେ ସ୍ୱର୍ଗତ ନବବାବୁଙ୍କର ବହୁତ ଅବଦାନ ରହିଛି । ତାଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ାରେ କେନସର ହସ୍‍ପିଟାଲ, ହାର୍ଟ କେୟାର ହସ୍‍ପିଟାଲ ହୋଇଛି । ଦୀପାଳି ଆପଣମାନଙ୍କ ଝିଅ, ନବବାବୁଙ୍କର ଝାରସୁଗୁଡ଼ା ପାଇଁ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରିବେ ଦୀପାଳି । ମୁଖ୍ୟମନ୍ତ୍ରୀ ଏସ୍‍.ଏଚ୍‍.ଜି ପାଇଁ ପେନସନ୍ ଓ ଗରିବ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଘୋଷଣା କରିଛନ୍ତି ।

ମା’ମାନେ ହେଉଛନ୍ତି ନବୀନବାବୁଙ୍କ ସେନାପତି । ଜଣେ ସାଧାରଣ ମହିଳାଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛନ୍ତି । ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡ଼ା ବିକାଶ ଯାତ୍ରାକୁ ଆହୁରି ମଜବୁତ୍‍ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy