୧୦ରେ ମୋଦିଙ୍କ ରୋଡ ଶୋ’, ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ନୋ ଫ୍ଲାଇଂ ଜୋନ

0 270

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତା ୧୦ ତାରିଖରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ସେହି ଦିନ ସେ ରାଜଧାନୀରେ ଏକ ବିଶାଳ ରୋଡ୍ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୬ଟାରୁ ଭୁବନେଶ୍ୱରେ ଆୟୋଜିତ ରୋଡ ଶୋ’ରେ ପ୍ରଧାମନ୍ତ୍ରୀ ସାମିଲ ହେବେ । ଏହି ରୋଡ ଶୋ’ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ବିଶେଷ ଏହି ସମୟରେ ଭୁବନେଶ୍ୱରରକୁ ନୋ-ଫ୍ଲାଇଂ ଜୋନ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମଙ୍ଗଳବାର ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ବିମାନବନ୍ଦର ଅଧିକାରୀ, ଏସପିଜି ଟିମ ସହ କମିଶନରେଟ ପୋଲିସର ବୈଠକ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ କୁହାଯାଇଛି । ବିମାନବନ୍ଦରର ସୁରକ୍ଷା ସିଆଇଏସଏଫଙ୍କୁ ନ୍ୟସ୍ତ କରାଯାଇଥିବା ବେଳେ ବାହାର ସୁରକ୍ଷା କମିଶନରେଟ ପୋଲିସ ଦାୟିତ୍ୱରେ ରହିବ । ବ୍ଲୁବୁକ ନିୟମ ଅନୁସାରେ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଥିବା ବେଳେ ରାଜଧାନୀରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ସନ୍ଧ୍ୟା ସମୟରେ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଓ ମାଣ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଉଲ୍ଲେଖ ଥାଉକି, ଗତକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ଜନସମାବେଶରେ ଯୋଗ ଦେଇ ମୋଦି ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ଜୁନ୍ ୪ ତାରିଖ ବିଜେଡିର ଏକ୍ସପାରୀ ଡେଟ । ଏହାପରେ ଜୁନ୍ ୧୦ ତାରିଖରେ ବିଜେପି ସରକାର ରାଜ୍ୟରେ ଶପଥ ଗ୍ରହଣ କରିବ ବୋଲି ବି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଏଥିସହ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ସେ ଓଡିଶାବାସୀଙ୍କୁ ନିମନ୍ତ୍ରଣ ବି କରିଥିଲେ ।

ମୋଦିଙ୍କ ଭାଷଣ ସମଗ୍ର ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ବେଳେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ରୋଡ ଶୋ’ରେ ମୋଦି କ’ଣ କହିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ୨୦୧୯ରେ ମୋଦୀ ରାଜଧାନୀରେ ଏକ ରୋଡ ଶୋ’ କରିଥିଲେ । ତାର ପ୍ରଭାବ ନିର୍ବାଚନ ଉପରେ ପଡିଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy