ଶ୍ରୀମୟୀଙ୍କୁ ଅଘୋଷିତ ‘ସାଂସଦ ପ୍ରାର୍ଥୀ’ କରି ଭଣ୍ଡେଇଲା କିଏ?

0 459

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ବିଗୁଲ ବାଜିବାର ଢେର ଆଗରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଅନେକ ନେତା ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଏହା ପରେ ଶ୍ରୀମୟୀ ଫୁଲ ଆକ୍ଟିଭ ମୋଡକୁ ଆସିଥିଲେ । ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଲମ୍ବା ଲମ୍ବା ଭାଷଣ ଦେଇଥିଲେ । ହେଲେ ତାଙ୍କ ସ୍ଥାନରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳ ଟିକେଟ ଦେଇଥିଲା । ଏହା ପରେ ଶ୍ରୀମୟୀ ଏକ ପ୍ରକାର ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି । ବେଶ କିଛିଦିନ ପରେ ବିଜେଡି ନେତା ପ୍ରଦୀପ ସାହୁ ଏକ ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି, ଶ୍ରୀମୟୀ ଚକ୍ରବ୍ୟୁହରେ ଫଶିଗଲେ । ଶ୍ରୀମୟୀଙ୍କ ପାଇଁ କିଏ ଚକ୍ରବ୍ୟୁହ ରଚିଥିଲା ଓ ଏହାର ମାଷ୍ଟରମାଇଣ୍ଡ କିଏ? କିଏ ତାଙ୍କୁ ଭଣ୍ଡେଇ ଦେଲା?

ସୂଚନା ଅନୁସାରେ, ବେଗୁନିଆ ବିଧାୟକ ପ୍ରାର୍ଥୀ ଦୌଡରେ ଥିବା ପ୍ରଦୀପ ସାହୁ କୌଣସି ଜଣେ ନେତ୍ରୀଙ୍କ ସହ କରୁଥିବା କଥାବାର୍ତ୍ତାର ଏକ ଅଡିଓ ରେକର୍ଡିଂ ଭାଇରାଲ ହେଉଛି । ସେଥିରେ ଶ୍ରୀମୟୀ ଚକ୍ରବ୍ୟୁହରେ ଫସିଗଲେ ଓ କିଛି ଜାଣିପାରିଲେ ନାହିଁ ବୋଲି ସେ କହିଛନ୍ତି । ଆଉ ପ୍ରଦୀପ ବିଜେଡି ଟିକେଟ୍ ପାଇବା ନେଇ ତାଙ୍କ ‘ବସ୍‌’ଙ୍କଠୁ ନିର୍ଭର ପ୍ରତିଶ୍ରୁତି ପାଇଥିବା କଥା ମଧ୍ୟ ଏହି ଅଡିଓରୁ ଶୁଣିବାକୁ ମିଳୁଛି । ଏହି ଅଡିଓ ପଦାକୁ ଆସିବା ପରେ ବିଜେଡିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ତେବେ ପ୍ରଶ୍ନ ଉଠୁଛି, ଯଦି ଶ୍ରୀମୟୀ ମିଶ୍ରଙ୍କ ପାଇଁ ଚକ୍ରବ୍ୟୁହ ରଚାଯାଇଥିଲା, ତା’ହେଲେ ତା’ର ମାଷ୍ଟରମାଇଣ୍ଡ କିଏ,ତାହା ପ୍ରଦୀପ ନିଶ୍ଚିତ ଜାଣିଥିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ପ୍ରଦୀପଙ୍କ ଏହି ବୟାନ ଏବେ ଶ୍ରୀମୟୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ତେବେ ବିଜେଡିର ଏହି ପ୍ରଭାବଶାଳୀ ନେତ୍ରୀଙ୍କ ପାଇଁ କିଏ ଓ କାହିଁକି ଚକ୍ରବ୍ୟୁହ ରଚିଥିଲା? ଏଥିରେ କେଉଁମାନେ ସାମିଲ ଥିଲେ ଓ ଏକଥାର ଶ୍ରୀମୟୀ କିଭଳି ଜାଣି ପାଇଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଦଳର କିଛି ନେତା ଶ୍ରୀମୟୀଙ୍କୁ ମିଛରେ ସାଂସଦ ପ୍ରାର୍ଥୀ ଘୋଷଣା କରି ଭଣ୍ଡେଇ ଦେଇଥିବା ଚର୍ଚ୍ଚା ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy