କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ

0 328

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପି ଛାଡି ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ସେ କଂଗ୍ରେସରେ ମିଶିବା ପରେ ଦଳ ଆହୁରି ସୁଦୃଢ ହୋଇଛି ।

କଂଗ୍ରେସରେ ଯୋଗ ଦେବା ପରେ ଦେବାଶିଷ କହିଛନ୍ତି, ନିଷ୍ପତ୍ତି ଟିକେ ଭୁଲ ହୋଇଯାଇଥିଲା । ସେପଟକୁ (ବିଜେପିକୁ) ଚାଲି ଯାଇଥିଲି । ଏବେ ନିଷ୍ପତ୍ତି ନେଲି ଏକ ଗଣତାନ୍ତ୍ରିକ ଦଳରେ ଯୋଗ ଦେବି, ଯେଉଁଠି ସ୍ୱାଧୀନତା ଥିବ । ତେଣୁ କଂଗ୍ରେସରେ ଯୋଗ ଦେଲି । କଂଗ୍ରେସରେ ଯୋଗ ଦେବା ପରେ ସେ ବିଜେପି ଓ ଏହା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ଏବେ ଦେଶର ଅବସ୍ଥା ଜରୁରୀକଳୀନ ସ୍ଥିତିରୁ ବଳିଗଲାଣି । ୟାକୁ ମାର ତାକୁ ମାର, ତା’ ଘରେ ପୋଲିସ ପୁରାଅ, କାହା ପଛରେ ଇଡିକୁ ଲଗାଅ, କାହା ପଛରେ ସିବିଆଇକୁ ଲଗାଅ- ଏସବୁ ତଚାଲିଛି । ପୂରା ରାଜନୀତିକ ବ୍ୟବସ୍ଥା ନଷ୍ଟ ହୋଇଗଲାଣି । ବିଜେଡି ଓ ବିଜେପି ପୂରା ସମାନ । ସେମାନେ ଗୋଟିଏ ବ୍ୟବସ୍ଥା ମଧ୍ୟରେ କାମ କରୁଛନ୍ତି । ସେଠି (ବିଜେପି) କ’ଣ ସବୁ ଘଟୁଛି, ତାହା ବି ଦେଖିଲି । ସେମାନେ (ବିଜେଡି ଓ ବିଜେପି) ମିଶିକି ଅଛନ୍ତି ବୋଲି ମେଣ୍ଟ କଥା ଉଠିଥିଲା । କିନ୍ତୁ କୌଣସି କାରଣରୁ ତାହା ହୋଇପାରିଲା ନାହିଁ ।

ସେଠାରେ (ବିଜେପିରେ) ମୁଁ ଭଲ ଅନୁଭବ କଲି ନାହିଁ । ତେଣୁ ଦଳ ଛାଡି ଦେଲି । ଟିକେଟ ମିଳିଲାନି ବୋଲି ମୁଁ ବିଜେପି ଛାଡି ଦେଲି ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ଚାହିଁଥିଲେ ମୁଁ କ’ଣ ସ୍ୱାଧୀନ ଭାବେ ବରୀରୁ ଛିଡା ହୋଇ ପାରିନଥା’ନ୍ତି? ମୁଁ ଏକ ସଂସ୍କାର ପାଇଁ ବିଜେପିକୁ ଯାଇଥିଲି । ସେହି ଦଳରେ ଯୋଗ ଦେଲା ପରେ ଜାଣିଲି, ସେଠାରେ ଆହୁରି ଅରାଜକତା ଚାଲିଛି । ତେଣୁ ଛାଡି ଦେଲି ।

ଉଲ୍ଲେଖଥାଉ କି, ଫେବ୍ରୁଆରୀ ୨୫ରେ ଦେବାଶିଷ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ପରେ ବିଜେପି ଛାଡି କଂଗ୍ରେସରେ ସେ ସାମିଲ ହୋଇଛନ୍ତି । ଦେବାଶିଷ ବରୀରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ସେ ବରୀ-ଡେରାବିଶରୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା । ଏଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବାର କୌଣସି ସମ୍ଭାବନା ନଥିବା ଦେଖି ସେ ବିଜେପିରେ ମିଶିଥିଲେ । କିନ୍ତୁ ବିଜେପି ମଧ୍ୟ ତାଙ୍କୁ ଟିକେଟ ଦେଇ ନଥିଲା । ତେବେ ଆଜି ସେ କଂଗ୍ରେସରେ ଯୋଗ ଦେବା ପରେ ସେ ବରୀରୁ ଲଢିବେ ବୋଲି ଆଶା କରାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy