ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ 5T ଅଧ୍ୟକ୍ଷ

0 397

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ଫେବ୍ରୁଆରି ୩ ତାରିଖ ରୁ ୫ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନ, ଭୁବନେଶ୍ଵର ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କାର୍ତ୍ତିକ ପାଣ୍ଡିଆନ୍‌ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତ କରାଯାଉଥିବା ଅକ୍ଷର ଭୂମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରାଯିବ । ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ/ଉଚ୍ଚ ବିଦ୍ୟାଳୟ/ ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଏହି ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଗୁଡ଼ିକୁ ନେଇ ୧୬ଗୋଟି ସମ୍ପାନ ଆୟୋଜନ କରାଯିବ ।

ଏତଦବ୍ଯତୀତ ବିଦ୍ୟାଳୟ/ଉଚ୍ଚ ବିଦ୍ୟାଳୟ/ ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସ୍ଵତନ୍ତ ସମ୍ପାନର ଆୟୋଜନ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଲୋକାର୍ପିତ ଲୋଗୋକୁ ଚୟନିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ପ୍ରମୁଖ ସ୍ଥାନ/ କାନ୍ଥରେ ଚିତ୍ରଣ କରାଯିବ । ଏହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ। ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ଯବହାର କରାଯିବ । ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ Live Webcast ଦ୍ଵାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ । ଏଥିସହିତ ସେମାନଙ୍କର ମତାମତକୁ ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମରେ ପ୍ରକାଶ କରାଯିବା ସହିତ ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ ।

ଏହି ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତଥ୍ୟପୁସ୍ତିକା (Brochure) ମାଧ୍ୟମରେ ପ୍ରକାଶ କରାଯିବ । ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ କାର୍ଯ୍ଯାଳୟ/ ସରକାରୀ କାର୍ଯ୍ଯାଳୟ/ ବେସରକାରୀ କାର୍ଯ୍ଯାଳୟ/ ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ/ସମ୍ବର୍ଦ୍ଧିତ କରାଯିବ । ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ଉଭୟ ଡିଜିଟାଲ ଓ କଠିନ ପୁସ୍ତକ ଯୋଗାଇ ଦିଆଯିବ।

ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ । ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ସମ୍ମିଳନୀ ସ୍ଥଳ ଏବଂ ଭୁବନେଶ୍ୱର ମହାନଗରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ । ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଓ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy