୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ: ବିଜେପି

0 330

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିଜେଡି ବିଭିନ୍ନ କଥା କହି ଓଡ଼ିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରି ଆସିଛି । ଲୋକେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଏହାକୁ ସ୍ୱୀକାର ମଧ୍ୟ କଲେ । କିନ୍ତୁ ଗୁମାସ୍ତା ଦଳୀୟ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି, ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବି କହୁଛନ୍ତି । ହାରିବା ଜିତିବା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା । ଯେଉଁମାନେ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି, ସେମାନେ ଟଙ୍କା ବିଦେଶରେ ରଖିଛନ୍ତି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି । ବିଜେଡି ନେତାମାନେ ହତାଶ ଓ ନିରାଶ ଅବସ୍ଥାରେ ପହଂଚିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରିଛନ୍ତି । ସାଢ଼େ ୪କୋଟି ଓଡ଼ିଆ ଆମ ସହ ଅଛନ୍ତି । ଓଡ଼ିଶାରେ ସରକାର ପରିବର୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି । ବିଜେଡି ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ଓଡ଼ିଆ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ୁଛି । ବିଜେପି ସାଧାରଣ ଲୋକଙ୍କ ଦଳ, ସ୍ୱତନ୍ତ୍ର ବିଚାରଧାରାରେ ବିଶ୍ୱାସ ରଖେ । ଆମ ଦଳ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖେ । ଏହା ବିଜେଡି ପରି ବ୍ୟକ୍ତିଗତ ମାଲିକାନା ଦଳ ନୁହେଁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ମୃତ୍ୟୁହାର(ଆଇଏମ୍‌ଆର) ୩୬ଥିବା ବେଳେ ଗୁଜୁରାଟରେ ୨୩ ଏବଂ ଜାତୀୟହାର ୨୮ଅଛି । ଶିଶୁ ମୃତ୍ୟୁରେ ଓଡ଼ିଶା ତୃତୀୟ ସର୍ବାଧିକ ରାଜ୍ୟ ଭାବେ ଗ୍ରସିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଜାତୀୟସ୍ତରରେ ସ୍ୱାସ୍ଥ୍ୟ ସେବା ବାବଦକୁ ସରକାର ମୁଣ୍ଡପିଛା ୨୦୧୪ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗୁଜରାଟରେ ସରକାର ୧୮୬୧ଟଙ୍କା ଓ ଓଡିଶା ସରକାର ମାତ୍ର ୧୪୪୯ ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ପ୍ରତିଶତ ପିଲା ପରୀକ୍ଷା ଦେଉନାହାନ୍ତି । ପ୍ରାୟ ୪୯.୯ପ୍ରତିଶତ ପିଲାମାନେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି । ଏହା ତୁଳନାରେ ଗୁଜରାଟରେ ୨୮ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ୨୦ପ୍ରତିଶତ ଅଛି । ଦୀର୍ଘ ୨୫ବର୍ଷ ଶାସନରେ ହିଞ୍ଜିଳିରୁ କାହିଁକି ଅଧିକ ଲୋକ ଗୁଜରାଟକୁ ଦାଦନ ଖଟିବାକୁ ଯାଉଛନ୍ତି? ଏଥିରୁ ଓଡ଼ିଶାର ବାସ୍ତବ ସ୍ଥିତି ଏବଂ ସତ୍ୟ କ’ଣ ଅନୁମେୟ ।

ଆମ ଦଳ ବିଜେପି ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ବିକାଶରେ ବିଶ୍ୱାସ ରଖୁଥିବା ଦଳ । ମାତ୍ର ଏହିସବୁ ସମ୍ବେଦନଶୀଳ ବିଷୟଗୁଡିକ ଆଜି ଓଡ଼ିଶାରେ ବଡ ପ୍ରଶ୍ନବାଚୀ । ଓଡ଼ିଶାକୁ ଏପରିସ୍ଥିତିରୁ ବାହାରକୁ ଆଣିବାକୁ ହେବ । ଏକ ବିଂଶ ଶତାବ୍ଦୀରେ ଓଡ଼ିଶା ଭାଷାଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବ । ଏହି ସମୟରେ ଓଡ଼ିଶାକୁ ନଅଙ୍କ ଦୁର୍ଭିକ୍ଷ ଆଡକୁ ନେବା ନାଁ ରାଜ୍ୟକୁ ଏକ ନମ୍ବର କରିବା, ଏହା ହିଁ ମୂଳ ପ୍ରସଙ୍ଗ । ଓଡ଼ିଶାର କିଛି ଲୋକ ରାଜ୍ୟର ଗଣତନ୍ତ୍ରକୁ କଣ୍ଠରୋଧ କରିବାର ପ୍ରୟାସ କରୁଛନ୍ତି ଏବଂ ଭୁଲ୍ ତଥ୍ୟ ଦେଉଛନ୍ତି । ଦେଶର କୌଣସି ରାଜ୍ୟର ସଙ୍ଗୀତକୁ “ଶାସ୍ତ୍ରୀୟ ସଙ୍ଗୀତ” ମାନ୍ୟତା ଦିଆଯିବାର ବ୍ୟବସ୍ଥା ହିଁ ନାହିଁ । ଯାହା ବ୍ୟବସ୍ଥାର ନାହିଁ ସେ ପ୍ରସଙ୍ଗକୁ ଉଠାଇ ବାରମ୍ବାର ପ୍ରଶ୍ନ କରିବା ଠିକ୍ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଓ ଅନ୍ୟପଟେ ୨୫ବର୍ଷରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେହି ସ୍ଥାନରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ୨୫ବର୍ଷରେ ଓଡ଼ିଶାରେ ପିଇବା ପାଣି ନାହିଁ । ଦୂଷିତ ପାଣି ପିଇବା କାରଣରୁ ହଇଜା ହେଉଛି । ଜଳସେଚନର ଘୋର ଅଭାବ । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ । ଏମ୍‌ସିଆରବି ତଥ୍ୟ ଅନୁସାରେ- ମହିଳା ରାଜ୍ୟରେ ମହିଳା ଅତ୍ୟାଚାର କଥା କହୁଛନ୍ତି । ଓଡ଼ିଶାର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏ ଉପରେ ପ୍ରଶ୍ନ କଲେ ବିଜେଡି ମୋତେ ନିଚ୍ଚ ଦେଖାଇବା ସହ ଦାଦନ ଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛି । ରାଜମିସ୍ତ୍ରୀ ଓ ଡାକପିଅନର ଆଖ୍ୟା ଦେଉଛନ୍ତି । ଓଡ଼ିଶାବାସୀଙ୍କ କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଁଚାଇବା ପାଇଁ ମୁଁ ଦାଦନ ଓ ଡାକ ପିଅନ ହେବା ପାଇଁ ଶ୍ରେୟସ୍କର ମନେ କରିବି । ଏକ ବିଂଶ ଶତାବ୍ଦୀରେ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ ରାଜମିସ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ । ଏଥର ଓଡ଼ିଶାରେ ନିଶ୍ଚିୟ ପରିବର୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ସରକାର ଆଉଟସୋର୍ସ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି କି ମିଶୁନାହାନ୍ତି । କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି । ତାଙ୍କୁ ଏକପ୍ରକାର ନଜର ବନ୍ଦୀ କରାଯାଇଛି । ନବୀନ ବାବୁଙ୍କୁ ନଜର ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ହେଉଛି । ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା “ଡିପ୍ ଫେକ” ଭିଡିଓ । କେହି ଜଣେ ତାକୁ ମାଇକ୍ରୋଫୋନ ଧରି କୁହାଉଛି । “ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରିଥିଲେ, ତେଣୁ ବିଷୟରେ ସମସ୍ତେ ଜାଣିବା ଦରକାର” । ଏବେ ଓଡ଼ିଆ ଅସ୍ମିତା ବିପଦରେ ।

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା ଜାଣିଶୁଣି ଢ଼ିଲା କରାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତର ଦିଅନ୍ତୁ । ଧର୍ମାନ୍ତରିକରଣ ତତ୍ୱମାନଙ୍କ ସହିତ ନବୀନ ବାବୁଙ୍କ ସମ୍ପର୍କ କଣ? କାହିଁକି ନବୀନ ବାବୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । କଣ ପାଇଁ ଦରକାର ୨ଟି ନ୍ୟାୟିକ ତଦନ୍ତ କମିଶନର ରିପୋର୍ଟ ସାର୍ବଜୀନନ କରୁନାହାନ୍ତି । ରିପୋର୍ଟ ପ୍ରକାଶ ପାଇଲେ ବିଜେଡି ନେତାଙ୍କ ମୁଖା ଖୋଲିଯିବ, କାରଣ ସରକାରୀ ଦଳର ବହୁ ନେତା ଧର୍ମାନ୍ତିକରଣରେ ସଂଶ୍ଳିଷ୍ଟ ।

ସେହିପରି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତି ନେବାର ସମୟ ଆସିଛି । ନିର୍ବାଚନରେ ଆମେ ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ । ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି । ବିଜେପି ସବୁବେଳେ ବିକାଶର ରାଜନୀତି କରିଛି । ବିକାଶମୂଳକ କାମକୁ କେବେ ବିଜେପି ବିରୋଧ କରିନି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଡିପିଆର କାହିଁକି ଭୁଲ ହେଲା ଓ ଏହା ବଦଳା ଗଲା କାହିଁକି? ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ଶହ କୋଟିର ବ୍ୟୟ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । ଗତ ୫ବର୍ଷ ହେବ ଓଡ଼ିଶାର ଶାସନଭାରକୁ ଜଣେ ହାଇଜାକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତଙ୍କୁ ଦୂରେ ରଖିଛନ୍ତି ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଏ ସାନ ବାବୁଙ୍କର ଅନୁମତି ଦରକାର ପଡୁଛି । ବିଜେଡି ନିଜ ଇସ୍ତାହାରରେ ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ନନେବାକୁ ଘୋଷଣା କରିଛନ୍ତି । ବିଜେପି ଗ୍ୟାରେଂଟି ଦେଇଚି ଯେ ଲୋକେ ଆଦୌ ବିଜୁଳି ବିଲ୍ ଦେବେନି, ବରଂ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଇବୁ । କାହିଁକି ଓଡ଼ିଶାରେ ବିଜୁଳି ମହଙ୍ଗା? ଓଡ଼ିଶାରେ ୪୨% ଶିକ୍ଷିତ ଯୁବ ବର୍ଗ ଏବେ ବେକାରୀ ରହିଛନ୍ତି । ଦେଶର ୨୨ରାଜ୍ୟରେ ହୋଇଥିବା ବେକାରୀ ହାର ସର୍ଭେରେ ଓଡ଼ିଶା ୧ନମ୍ବର ଅଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy