ସାଲିଆ ସାହିର ଝିଅ କିଲିମାଞ୍ଜାରୋ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

0 191

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାଲିଆସାହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଥାଏ ଏକ ଅଲଗା ଭାବନା । ଯେଉଁଠାରେ ଥାଏ ଭଙ୍ଗା କୁଡ଼ିଆ ସହ ହାଣ୍ଡିଆର ଗନ୍ଧ । ତେବେ ସେହି ବସ୍ତିରୁ ଜଣେ ଆଜି ଓଡିଶା ପାଇଁ ଆଣିଛନ୍ତି ଗର୍ବ । ପଙ୍କରୁ ପଦ୍ମରୁ ଫୁଟିଲାଭଳି ସାଲିଆ ସାହି ଏକାମ୍ର ବିହାରରେ ରହୁଥିବା ଅନିତା ସ୍ୱାଇଁ ଆଜି ତାଙ୍କ ପାଇଁ ଓଡିଶା ଗର୍ବିତ ।

ସାଲିଆ ସାହିରୁ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର ‘କିଲିମାଞ୍ଜାରୋ’ ପର୍ବତ ଶିଖରରେ ଚଢି ୧୯୩୪୧ ଫୁଟ୍‌ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି । ବିନା କୌଣସି ସରକାରୀ ସହାୟତାରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନିତା । ଏହି ସଫଳତା ପରେ ଅନତା ସେଭେନ୍‌ ସମ୍ମିଟ୍‌ ମଧ୍ୟ ଆରମ୍ଭ କରିଛନ୍ତି । ପର୍ଯ୍ୟାୟକ୍ରମେ ବିଶ୍ୱର ୭ଟି ସର୍ବୋଚ୍ଚ ମହାଦେଶୀୟ ଶୃଙ୍ଗ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି ।

ଅନିତାଙ୍କ ନିଜ ଘର ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଲରେ । ପରିବାର କହିଲେ ବାପା ହଜାରି ସ୍ୱାଇଁ ,ମା ପ୍ରଭାତୀ ସ୍ୱାଇଁ ଓ ଭାଇଙ୍କୁ ନେଇ ଛୋଟ ପରିବାର । ବାପା ପେଶାରେ ଜଣେ ରାଜମିସ୍ତ୍ରୀ ଓ ମା ଗୃହିଣୀ । ଅନିତା ଜାମସେଦପୁରସ୍ଥିତ ଟାଟ ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନରେ ଇନଷ୍ଟ୍ରାକ୍ଟର୍ସ ଭାବେ କାର୍ଯ୍ୟରତ । ୨୦୧୪ରୁ ସ୍ନାତ୍ତୋକ ପଢିବା ସମୟରୁ ଲକ୍ଷ୍ୟ ଥିଲା ପର୍ବତାରୋହଣ । କେବଳ ଲକ୍ଷ୍ୟ ଥିଲା ତାହା ନୁହେଁ, କିଭଳି ଏଥିରେ ସଫଳ ହେବେ ସେଥିପାଇଁ ପ୍ରୟାସ ମଧ୍ୟ ଆରମ୍ଭ କରି ଦେଇଥିଲେ । ସାଙ୍ଗମାନଙ୍କ ସହ ଭାରତର ବିଭିନ୍ନ ପର୍ବତ ବୁଲିଥିଲେ ଅନିତା ।

୨୦୧୫ରେ ହିମାଳୟର ଶିତିଧର ପର୍ବତ ଶିଖର ଚଢି ସଫଳ ହୋଇଥିଲେ । ସେବେଠୁ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ୨୦୧୬ରେ ଉତ୍ତରାଖଣ୍ଡର ଦାରୱା ଏବଂ ରୁଡୁଗାଇରା, ୨୦୧୭ରେ ସିକିମ୍‌ର ରେନକ୍‌, ୨୦୧୮ରେ ହିମାଚଳ ପ୍ରଦେଶର ଫ୍ରେଣ୍ଡସିପ୍‌ ପର୍ବତ ଶିଖର ଚଢିଥିଲେ । ସେ ସେତିକରେ ଅଟକି ଯାଇ ନଥିଲେ । ଦେଶ ପରେ ବିଦେଶକୁ ଯାଇ ପର୍ବତ ଆରୋହଣ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । କିଛି ଦିନ ପୂର୍ବରୁ ସାଉଥ୍‌ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପର୍ବତ ଆରୋହଣ ସମୟରେ ବିଭିନ୍ନ ବାଧାବିଘ୍ନ ଥାଇ ମଧ୍ୟ ସେ ସଫଳ ଭାବେ ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡାଇଥିଲେ ।

ଅନିତା ତାଙ୍କ ସଫଳତାକୁ ନେଇ କୁହନ୍ତି ପର୍ବତ ଆରୋହଣ ପାଇଁ କୌଣସି ପ୍ରଶିକ୍ଷଣ ନେଇ ନାହାଁନ୍ତି । ନିଜ ପ୍ରଚେଷ୍ଟାରେ ସେ ସଫଳ ହୋଇପାରିଛନ୍ତି । ଏଥିପାଇଁ ପରିବାର ଲୋକଙ୍କ ସହଯୋଗ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସହାୟତା ଏବଂ ସହଯୋଗ ମିଳିଲେ ସେ ଆହୁରି ଆଗକୁ ଯାଇପାରିବେ ବୋଲି କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy